ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଜେଏନୟୁର ପୂର୍ବତନ ଛାତ୍ର ନେତା ଉମର ଖାଲିଦଙ୍କୁ ୩ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଉମର ଖାଲିଦ ୨୦୨୦ ଫେବୃଆରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ପଛରେ ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗରେ ୟୁଏପିଏ ଆଧାରରେ ଜେଲରେ ଅଛନ୍ତି ।
ଜଷ୍ଟିସ ପ୍ରତିଭା ଏମ ସିଂ ଓ ଜଷ୍ଟିସ ମଧୁ ଜୈନଙ୍କ ପୀଠ ଆବେଦନ ଉପରେ ଶୁଣାଣି କରି ଉମର ଖାଲିଦଙ୍କୁ ଜୁନ ୧ରୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନକୁ ଅନୁମତି ଦେଇଛନ୍ତି । ଉମର ନିଜ ମାଆଙ୍କ ସର୍ଜରୀ ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ଖଣ୍ଡପୀଠ କହିଛନ୍ତି, ସୁପ୍ରିମକୋର୍ଟ ଜାନୁଆରୀ ୫ରେ ଖାଲିଦଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିଥିଲେ । ମାତ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଉମରଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।
କଣ ରହିଛି ସର୍ତ୍ତ
କୋର୍ଟ ଉମରଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକା ଭରିବା ଏବଂ ତିନୋଟି ସର୍ତ୍ତ ଆଧାରରେ ଜୁନ ୧ ସକାଳ ୭ଟାରୁ ଜୁନ ୩ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉମର ଖାଲିଦ ଜାମିନ ଅବଧି ସମୟରେ ଏନସିଆରରେ ହିଁ ରହିବେ । ନିଜ ଘରେ ରହିବେ ଏବଂ କେବଳ ହସ୍ପିଟାଲ ଯିବେ ।
ଉମର ଖାଲିଦ ମେ ୧୯ରେ ନିମ୍ନ ଅଦାଲତର ସେହି ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ ତାଙ୍କ ଅନ୍ତରୀଣ ଜାମିନକୁ ଖାରଜ କରାଯାଇଥିଲା । ହାଇକୋର୍ଟ ଉମର ଖାଲିଦଙ୍କ ଆବେଦନ ଉପରେ ଆଶ୍ୱସ୍ତି ଦେଇ କହିଛନ୍ତି ଯେ, ଉମରଙ୍କୁ ପୂର୍ବରୁ ମଧ୍ୟ ପାରିବାରିକ ସମାରୋହ ପାଇଁ ଅନେକ ଥର ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି । ଆଉ ସେ ଜାମିନର ସମସ୍ତ ସର୍ତ୍ତ ମଧ୍ୟ ପାଳନ କରିଛନ୍ତି ।
ହାଇକୋର୍ଟ ଏହା ମଧ୍ୟ କହିଛନ୍ତି, ଉମର ଖାଲିଦ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ, ତଥାପି ତାଙ୍କ ମାଆଙ୍କ ମେଡିକାଲ ଅବସ୍ଥା ଓ ନିର୍ଦ୍ଧାରିତ ସର୍ଜରୀକୁ ଦେଖି ଅନ୍ତରୀଣ ଜାମିନ ଦେଇଛନ୍ତି ।