ନୂଆଦିଲ୍ଲୀ: ପୁଣି ଥରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ୨ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛନ୍ତି ବିଏସ୍ଏଫ୍ ଯବାନ । ଏକ ଗାଡ଼ିରେ ଯାଉଥିବାବେଳେ ଧରାପଡ଼ିଛନ୍ତି । ସେମାନଙ୍କ ପରିଚୟ ମହମ୍ମଦ ସଲିମ ଏବଂ ଆମିର ନୱାଜ ଭାବରେ ଚିହ୍ନଟ କରାଯାଇଛି ।
ପଞ୍ଜାବ ସୀମା ତରନତାରନରେ ଦୁହେଁ ଭାରତ ସୀମାକୁ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ବିଏସଏଫ୍ ଯବାନଙ୍କ ସନ୍ଦେହ ହେବାରୁ ଗାଡ଼ିକୁ ଅଟାକାଇଥିଲେ । ବିଏସଏଫର ୧୪୨ତମ ବାଟାଲିୟନର ଯବାନମାନେ ୱାନ ତାରା ସିଂହ ଗ୍ରାମ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ଏକ ଧଳା ସୁଜୁକି ଭ୍ୟାନ୍ ଭାରତୀୟ ସୀମା ଭିତରକୁ ଯାଉଥିବା ଦେଖିଥିଲେ। ଅମରକୋଟ ଦିଗରୁ ଆସୁଥିବା ଉକ୍ତ ଭ୍ୟାନ୍ କୁ ପଚରାଉଚରା ପାଇଁ ସୀମା ପିଲର୍ସ ୧୪୦-୧ ଏବଂ ୧୪୧-୨୦ ମଧ୍ୟରେ ଅଟକାଇଥିଲେ ।
ଦୁଇ ପାକିସ୍ତାନୀ ନାଗରିକଙ୍କୁ ହେପାଜତକୁ ନିଆଯାଇଛି । ଉଭୟଙ୍କ ଘର ଲାହୋରରେ ଅଟେ । ଲାହୋର ଫିରୋଜପୁର ରୋଡର ନାସ୍ତର କଲୋନି ନିବାସୀ ନାଜିର ଅହମ୍ମଦଙ୍କ ପୁଅ ମହମ୍ମଦ ସଲିମ (୬୦) ଏବଂ ଲାହୋର (ପାକିସ୍ତାନ)ର ଗାଜି ରୋଡର ୟାସିନ ଟାୱାର ନିବାସୀ ମହମ୍ମଦ ନୱାଜଙ୍କ ପୁଅ ଅମୀର ନୱାଜ (୪୦) ଭାବରେ ଚିହ୍ନଟ କରାଯାଇଥିଲା। ଯାଞ୍ଚ ସମୟରେ ଦୁଇ ଜଣ ପାକିସ୍ତାନ ନାଗରିକଙ୍କୁ ଗିରଫ କରାଯାଇଛି । ଖାଲରା ପୋଲିସ ଉଭୟଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି। ପଚରାଉଚରା ସମୟରେ, ଉଭୟ ସ୍ୱୀକାର କରିଛନ୍ତି ଯେ ସେମାନେ ଗାଁରେ ପିଲାମାନଙ୍କୁ ପୁସ୍ତକ ବାଣ୍ଟିବାକୁ ଆସିଥିଲେ ଏବଂ ଅସାବଧାନତାବଶତଃ ସୀମା ପାର କରିଦେଇଛନ୍ତି ।
ପ୍ରାଥମିକ ପଚରାଉଚରା ପରେ, ବିଏସଏଫ ଦୁଇ ପାକିସ୍ତାନୀ ନାଗରିକଙ୍କୁ ଖାଲରା ପୋଲିସ ଷ୍ଟେସନରେ ପୋଲିସକୁ ହସ୍ତାନ୍ତର କରିଛି। ଖାଲରାର ଷ୍ଟେସନ ହାଉସ୍ ଅଫିସର ବଲଜିନ୍ଦର ସିଂହ କହିଛନ୍ତି ଯେ ଉଭୟ ବ୍ୟକ୍ତି ନିଜକୁ ଏକ ସାମାଜିକ କଲ୍ୟାଣ ସଂଗଠନର କର୍ମୀ ବୋଲି ଦାବି କରିଛନ୍ତି । ସେମାନେ ଗାଁଗୁଡ଼ିକରେ ପିଲାମାନଙ୍କୁ ଶିକ୍ଷା ପୁସ୍ତକ ବଣ୍ଟନ କରିବାକୁ ଆସିଥିଲେ ଏବଂ ବାଟ ହୁଡ଼ି ସେମାନେ ଭୁଲବଶତଃ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ। ତେବେ ସେମାନଙ୍କ ନିକଟରୁ କୌଣସି ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇ ନାହିଁ।