ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ବାଘ ଆତଙ୍କ ଖେଳାଇଛି । ବାଘ ଆକ୍ରମଣରେ ଜିଲ୍ଲାରେ ୪ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳୁ ସକାଳୁ ଚନ୍ଦ୍ରବାହୀ ଜିଲ୍ଲାର ସିନ୍ଦେବାହୀ ତହସିଲ ଅନ୍ତର୍ଗତ ଗୁଞ୍ଜେବାହୀ ଅଞ୍ଚଳରେ ଏଭଳି ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଗୁଞ୍ଜେବାହୀ ଗ୍ରାମର ମହିଳା ପ୍ରତିଦିନ ଭଳି ଆଜି ମଧ୍ୟ ସକାଳୁ ସକାଳୁ କେନ୍ଦୁ ପତ୍ର ତୋଳିବାକୁ ଜଙ୍ଗଲ ଭିତରକୁ ଯାଇଥିଲେ । କିନ୍ତୁ ସେଠାରେ ଏକ ବାଘ ଶୀକାର ଅପେକ୍ଷାରେ ଥିଲା । ମହିଳାମାନେ କେନ୍ଦୁ ପତ୍ର ତୋଳିବାରେ ବ୍ୟସ୍ତ ଥିବାବେଳେ ବାଘଟି ମହିଳାଙ୍କୁ ଆକ୍ରମଣ କରିଥିଲା । ବାଘର ଆକ୍ରମଣରେ କେହି ବି ବର୍ତ୍ତି ପାରିନଥିଲେ । ମହିଳା ମାନେ ଭୟରେ ଚିତ୍କାର ମଧ୍ୟ କରିଥିଲେ । କିନ୍ତୁ କେହି ସେମାନଙ୍କ ଚିତ୍କାର ଶୁଣି ସାହାଯ୍ୟ କରିବା ପୂର୍ବରୁ ସବୁ କିଛି ଶେଷ ହୋଇଯାଇଥିଲା । ବାଘଟି ୪ ଜଣ ମହିଳାଙ୍କୁ ରକ୍ତାକ୍ତ କରି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସେମାନଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା ।
ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସ୍ଥାନୀୟ ବନ ଅଧିକାରୀ ଏବଂ ପୋଲିସ ଘଟଣା ସ୍ଥଳରେ ପହିଁଚିଛନ୍ତି । ସମସ୍ତ ଚାରୋଟି ଶବକୁ ଜବତ କରାଯାଇଛି । ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୂଆ ଭୟ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି ହୋଇଛି ।