ଢେଙ୍କାନାଳ: ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଖବର। ଗନ୍ଦିଆ ତହସିଲରେ କାର୍ଯ୍ୟରତ ରେଭେନ୍ୟୁ ଇନ୍ସପେକ୍ଟର (RI) ଚୈତନ୍ୟ ଦେହୁରୀଙ୍କ ଅକସ୍ମାତ ମୃତ୍ୟୁ ଘଟିଛି। ପ୍ରାଥମିକ ଭାବେ ଏହା ଅଂଶୁଘାତଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଥିବା ବେଳେ, ପୋଷ୍ଟମର୍ଟମ ରିପୋର୍ଟ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ।
୪୫ ବର୍ଷୀୟ ଚୈତନ୍ୟ ଦେହୁରୀ ଭୁବନ ସହରର ୫ ନମ୍ବର ୱାର୍ଡରେ ଏକ ଭଡା ଘରେ ସ୍ତ୍ରୀ ଓ ସାତ ବର୍ଷର ଝିଅ ସହ ବସବାସ କରୁଥିଲେ। ଗୁରୁବାର ରାତିରେ ଘର ଭିତରେ ପ୍ରବଳ ଗରମ ଅନୁଭବ କରି ସେ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ବାହାରକୁ ନେବାକୁ ଚେଷ୍ଟା କରୁଥିବା ବେଳେ ସେ ହଠାତ୍ ଚେତାଶୂନ୍ୟ ହୋଇ ଟଳିପଡ଼ିଥିଲେ।
ତୁରନ୍ତ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅପ୍ରତ୍ୟାଶିତ ଘଟଣା ପରିବାର ଓ ସହକର୍ମୀଙ୍କୁ ସ୍ତବ୍ଧ କରିଦେଇଛି।
ସୂଚନା ମୁତାବକ, ମୃତ୍ୟୁ ପୂର୍ବରୁ ସେ କାମାକ୍ଷାନଗରସ୍ଥିତ ଶ୍ୱଶୁର ଘରକୁ ଯାଇଥିବା ବେଳେ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ ଚିକିତ୍ସା ପରେ ଭୁବନ ଫେରିଥିଲେ। କିନ୍ତୁ ରାତି ବଢ଼ିବା ସହ ତାଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥିଲା ଓ ଶେଷରେ ଜୀବନ ଯୁଦ୍ଧରେ ହାର ମାନିଥିଲେ।
ଖବର ପାଇ ଭୁବନ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଂଶୁଘାତ ନା ଅନ୍ୟ କୌଣସି କାରଣ, ତାହାକୁ ନେଇ ତଦନ୍ତ ଚାଲିଛି। ରାଜ୍ୟରେ ବଢ଼ୁଥିବା ତାପମାତ୍ରା ମଧ୍ୟରେ ଏହି ଘଟଣା ପୁଣିଥରେ ତାତିର ଭୟାବହତାକୁ ସାମ୍ନାକୁ ଆଣିଛି।