ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରୁ ଆସିଛି ଏକ ବଡ଼ ଖବର। ପୃଥିବୀରେ ବିରଳତମ ମିଲେନାଷ୍ଟିକ୍ ବା ଜେନେଟିକ୍ ପରିବର୍ତ୍ତନ ଯୋଗୁଁ କଳା ରଙ୍ଗର ଦେଖାଯାଉଥିବା ମହାବଳ ବାଘଙ୍କ ପାଇଁ ପରିଚିତ ଶିମିଳିପାଳରେ ପୁଣି ସକ୍ରିୟ ହୋଇଛନ୍ତି ବନ୍ୟପ୍ରାଣୀ ଶିକାରୀ। ଏକ ବିରଳ କଳା ବାଘ ଛୁଆକୁ ହତ୍ୟା କରି ତାହାର ଚମଡ଼ା ଚୋରା ଚାଲାଣ ପାଇଁ ଡିଲ୍ ଚାଲିଥିବା ବେଳେ ବନ ବିଭାଗର ଏକ ଚଢ଼ାଉ ଏହି କଳା କାରନାମାର ପର୍ଦ୍ଦାଫାସ କରିଛି।
ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ଅଞ୍ଚଳରେ ବାଘଛାଲ ବିକ୍ରି ପାଇଁ ଚାଲିଥିବା ଗୁପ୍ତ ବୈଠକ ସମ୍ପର୍କରେ ବନ ବିଭାଗକୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଶିମିଳିପାଳ ଦକ୍ଷିଣ ଡିଭିଜନ୍ର ଉପନିର୍ଦ୍ଦେଶକ ସୁମିତ୍ କୁମାର କରଙ୍କ ନିର୍ଦ୍ଦେଶରେ ଏନଫୋର୍ସମେଣ୍ଟ ଟିମ୍ ତୁରନ୍ତ ଫାନ୍ଦ ବିଛାଇଥିଲା। ଯୋଜନାବଦ୍ଧ ଚଢ଼ାଉ ବେଳେ ଅଭିଯୁକ୍ତମାନଙ୍କୁ କାବୁ କରାଯିବା ସହ ସେମାନଙ୍କ ନିକଟରୁ ଏକ ବିରଳ କଳା ବାଘ ଛୁଆର ଚମଡ଼ା ଜବତ କରାଯାଇଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ବାଘଟିର ବୟସ ପ୍ରାୟ ଦୁଇ ବର୍ଷ ଥିଲା। ଅର୍ଥାତ୍ ଶିକାରୀଙ୍କ ନିଷ୍ଠୁରତାର ଶିକାର ହୋଇଛି ଏକ ଅବୋଧ ବାଘ ଛୁଆ। ଏହି ଘଟଣାରେ ଗଙ୍ଗାଧର ମୁର୍ମୁ, ରାମଦାସ ହେମ୍ବ୍ରମ ଓ ଭିମା ବାସ୍କେଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩ଟି ମୋଟରସାଇକେଲ ଓ ୨ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି।
ଏହି ଘଟଣା ଶିମିଳିପାଳର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। କାରଣ, ସମଗ୍ର ବିଶ୍ୱରେ ମିଲେନାଷ୍ଟିକ୍ ବାଘଙ୍କ ସବୁଠାରୁ ବଡ଼ ଆବାସସ୍ଥଳୀ ହେଉଛି ଶିମିଳିପାଳ। ଏଭଳି ବିରଳ ପ୍ରଜାତିର ବାଘ ଛୁଆର ଶିକାର କେବଳ ଏକ ବନ୍ୟପ୍ରାଣୀର ମୃତ୍ୟୁ ନୁହେଁ, ବରଂ ଏହା ପ୍ରକୃତିର ଅମୂଲ୍ୟ ସମ୍ପଦ ଉପରେ ଏକ ବଡ଼ ଆଘାତ। ଏବେ ପ୍ରଶ୍ନ ଉଠୁଛି, ଏହି ଶିକାର ପଛରେ କି କୌଣସି ବଡ଼ ଆନ୍ତର୍ଜାତିକ ଚୋରା ଚାଲାଣ ଚକ୍ର ସକ୍ରିୟ ଅଛି? ଏହାର ଉତ୍ତର ଖୋଜିବାକୁ ବନ ବିଭାଗ ତଦନ୍ତକୁ ଆହୁରି ଜୋରଦାର କରିଛି।