ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟ ପୋଲିସ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଆହୂତ ବୈଠକରେ ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ବିସ୍ତୃତ ଆଲୋଚନା ହୋଇଛି ।
ଆଜିର ବୈଠରେ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଡିଜିପି ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପରିସ୍ଥିତିରେ ଯେପରି ତ୍ରୁଟିବିଚ୍ୟୁତି ନ ଘଟେ, ସେଥିପାଇଁ ପ୍ରତ୍ୟେକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିବାକୁ କହିଛନ୍ତି ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ବିଭିନ୍ନ ରୀତିନୀତି ନିର୍ଦ୍ଦିଷ୍ଟ ତାରିଖରେ ପାଳନ କରାଯିବ। ଏହି ଅବସରରେ ଦେଶ-ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବାର ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ ଓ ଅଧିକ ସକ୍ରିୟ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ରଥଯାତ୍ରାରେ ଭକ୍ତମାନଙ୍କ ସୁରକ୍ଷା ଓ ସୁଚାରୁରୁପେ ଭିଡ଼ ନିୟନ୍ତ୍ରଣ କରିବାକୁ ଚଳିତ ବର୍ଷ ଅନେକ ନୂତନ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା କରାଯାଇଛି। ଯାତାୟାତ ଓ ଟ୍ରାଫିକ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଅତିରିକ୍ତ ୮ଟି ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି । ରଥ ଟଣା ସମୟରେ ରଥଗୁଡ଼ିକର ସୁଗମ ଗତି ସୁନିଶ୍ଚିତ କରିବାକୁ ରଥ ଆଗରେ ସ୍ୱତନ୍ତ୍ର କ୍ଲିୟରାନ୍ସ ପାର୍ଟି ନିୟୋଜିତ କରାଯିବ। ଅଧିକ ଭିଡ଼ ଥିବା ସ୍ଥାନଗୁଡ଼ିକରେ କ୍ରାକ୍ ଟିମ୍ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ।
ଏହାବ୍ୟତୀତ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅତିରିକ୍ତ ସିସିଟିଭି କ୍ୟାମେରା, ଟ୍ରାଫିକ ସୁପରିଚାଳନା ପାଇଁ ରୋଡ ଡିଭାଇଡର, ଡିଲିନେଟର ଏବଂ ଟ୍ରାଫିକ ଜୋନ୍ ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ସୁବିଧା ଏବଂ ଶୃଙ୍ଖଳିତ ଯାତାୟାତ ପରିଚାଳନା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ସେହିପରି ପୁରୀ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଞ୍ଚଳରେ ସ୍ୱତନ୍ତ୍ର ଡ୍ରାଇଭ୍ ଚାଲୁ କରାଯିବା ସହିତ ହୋଟେଲ ଓ ଲଜଗୁଡ଼ିକରେ ନିୟମିତ ଯାଞ୍ଚ କରିବାକୁ ଡିଜିପି ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରଥଯାତ୍ରା ସମୟରେ ବାହାର ରାଜ୍ୟର ଅଭ୍ୟାସଗତ ଅପରାଧୀମାନଙ୍କ ଆଗମନ ସମ୍ଭାବନା ଥିବାରୁ ସେମାନଙ୍କ ଫଟୋ ସଂଗ୍ରହ କରି ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡରେ ଥିବା ଏଲଇଡି ସ୍କ୍ରିନ୍ରେ ପ୍ରଦର୍ଶନ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସମୁଦ୍ରକୂଳ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା । ଏହାସହ ରେଳବାଇ ପୋଲିସ ପକ୍ଷରୁ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯିବା ନେଇ ଆଲୋଚନା କରାଯାଇଥିଲା। ଆରପିଏଫ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।
ଏହାସହ ମନ୍ଦିର ନିକଟରେ ରକ୍ଷକ ଯାନ ମୁତୟନ, K-9 ସ୍କ୍ୱାଡ୍ ନିୟୋଜନ, ଏନଏସଜି ତାଲିମପ୍ରାପ୍ତ ଏସଓଜି ଟିମ ମୁତୟନ, ଏସଟିୟୁ ଟିମ ନିୟୋଜିତ, ଦଳାଚକଟା ପରି ପରିସ୍ଥିତିକୁ ଏଡାଇବା ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ପୋଲିସ ଫୋର୍ସଙ୍କ ରହଣି ପାଇଁ ଆବଶ୍ୟକ ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ୍ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ଆଶୁ ସମସ୍ୟାର ସମାଧାନ ଏବଂ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ଡିଜିପି ବିସ୍ତୃତ ଆଲୋଚନା କରିଥିଲେ।
ବୈଠକରେ ଆପାତକାଳୀନ ପରିସ୍ଥିତିର ମୁକାବିଲା, ଦୁର୍ଘଟଣା ପରିଚାଳନା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ତ୍ୱରିତ ସମନ୍ୱୟ ସୁନିଶ୍ଚିତ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ରେଳବାଇ ଏବଂ ଉପକୂଳ ସୁରକ୍ଷା ଏଡିଜି ଅରୁଣ ବୋଥ୍ରା, ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ I ଏହାସହ ଆଭାସୀ ମାଧ୍ୟମରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜିପି ସତ୍ୟବ୍ରତ ଭୋଇ, ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର, ପୁରୀ ଏସପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ।