ଢେଙ୍କାନାଳ: ଦିନକୁ ଦିନ ମଣିଷ ତାର ହିତାହିତ ଜ୍ଞାନ ଭୁଲିବାକୁ ବସିଛି । ଖାଇବାକୁ ମାଗିବାରୁ ମା ଛେଉଣ୍ଡ ନାବାଳିକା ଦେହରେ ଗରମ ଚା’ ଢାଳିଦେଲା ପଡୋଶୀ । ଭିକ ତ ଦେଲେନି ହେଲେ ଥାଳ ଭାଙ୍ଗିଦେଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନମ୍ବର -୭ ନୋହୋରା ସାହିରେ । ନାବାଳିକା ଜଣଙ୍କ ରାସ୍ତାରେ ପଡ଼ି ଛଟପଟ ହେଉଥିବାର ଦୃଶ୍ୟ ଭାଇରାଲ ହେଉଛି ।
ସୂଚନାରୁ ଜଣାପଡିଛି ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନମ୍ବର -୭ ନୋହୋରା ସାହିର କ୍ଷୀରଧର ବେହେରା ନିଜର ଦୁଇଟି ନାବାଳିକା ଝିଅ ରହୁଛନ୍ତି । ସାନ ଝିଅ ଝାନ୍ସିରାଣୀ ବୟସ ମାତ୍ର ୭ ବର୍ଷ, ସେ ନିଜ ପଡ଼ୋଶୀ ମାମା ଖଟୁଆଙ୍କୁ ଖାଇବାକୁ ମାଗିଥିଲେ । କିନ୍ତୁ ଉକ୍ତ ମହିଳା ଜଣକ ଖାଇବା ତ ଦେଲେ ନାହିଁ ଓଲଟା ନିଜେ ପିଉଥିବା ଗରମ ଚା’କୁ ନାବାଳିକାଙ୍କ ଉପରକୁ ଛାଟି ଦେଇଥିଲେ । ନାବାଳିକା ଜଣକ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲା । ପାଖରେ ଥିବା ବଡ଼ ଭଉଣୀ ଲକ୍ଷ୍ମୀପ୍ରିୟା (୯) ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ଖଣ୍ଡିଆଖାବରା କରିଥିଲେ ମହିଳା ଜଣକ । ସେପଟେ ପଡ଼ୋଶୀ କିଛି ମହିଳାଙ୍କୁ କହିବାରୁ ସେ ତାଙ୍କ ସହିତ ପାଲଟା ଯୁକ୍ତି ତର୍କ ମଧ୍ୟ କରିଥିଲେ ।
ଏହି ଘଟଣାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ସ୍ଥାନୀୟ କାଉନସିଲର ନରେନ୍ଦ୍ର ସାହୁ ପହଞ୍ଚି ଉଭୟ ନାବାଳିକା ଭଉଣୀଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ତେବେ ନାବାଳିକା ଦୁଇଜଣଙ୍କ ମାଆ ଚାରି ବର୍ଷ ହେବ ଘର ଛାଡ଼ି କେଉଁଆଡେ ପଳାଇଥିବା ବେଳେ ବାପା ଦିନ ମଜୁରିଆ ହୋଇଥିବା କାରଣରୁ ଘରେ ଉପସ୍ଥିତନଥିଲେ ।