ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସନ୍ଷ୍ଟ୍ରୋକ୍ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସୂଚନା ଦେଇଛନ୍ତି ଉପ-ସ୍ୱତନ୍ତ୍ର ରିଲିଫ୍ କମିଶନର ପଦ୍ମନାଭ ବେହେରା। ମୃତକମାନେ ବଲାଙ୍ଗିର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର ବୋଲି ଜଣାପଡ଼ିଛି।
ସରକାରୀ ସୂଚନା ଅନୁସାରେ, ତିନିଜଣ ଯାକ ଦୈନନ୍ଦିନ କାର୍ଯ୍ୟରେ ବାହାରେ ଥିବାବେଳେ ପ୍ରବଳ ଗରମର ପ୍ରଭାବରେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ରାଜ୍ୟରେ ବଢ଼ୁଥିବା ତାପମାତ୍ରା ଓ ଅସହ୍ୟ ଗରମ ଲୋକଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ତେବେ ସାରା ରାଜ୍ୟରେ ୧୬ଟି ଅଂଶୁଘାତ ଜନିତ ମୃତ୍ୟୁ ନେଇ ଅଭିଯୋଗ ହୋଇଥିବା ବେଳେ ସେଥିମଧ୍ୟରୁ ୩ଟି ସନ୍ଷ୍ଟ୍ରୋକ୍ରେ ମୃତ୍ୟୁ ନେଇ ଏସଆରସିଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପ୍ରଶାସନ ପକ୍ଷରୁ ଲୋକଙ୍କୁ ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଖରାଦିନରେ ଅଧିକ ପାଣି ପିଇବା, ହାଲୁକା ପୋଷାକ ପିନ୍ଧିବା ଏବଂ ଛାୟାଯୁକ୍ତ ସ୍ଥାନରେ ରହିବାକୁ କୁହାଯାଇଛି।
ବିଶେଷକରି ବୟସ୍କ ବ୍ୟକ୍ତି, ଶିଶୁ ଓ ଖୋଲା ଆକାଶ ତଳେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ସନ୍ଷ୍ଟ୍ରୋକ୍ ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ହସ୍ପିଟାଲଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସାଧାରଣଠାରୁ ଅଧିକ ରହିଛି। ଏହା ସହିତ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଥିବାରୁ ଗରମର ଅନୁଭୂତି ଆହୁରି ଅସହ୍ୟ ହେଉଛି। ଆଗାମୀ କିଛି ଦିନ ଯାଏଁ ଗରମ ଜାରି ରହିବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପ୍ରଶାସନ ଅନୁରୋଧ କରିଛି।