ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ ଅଧିକାରୀଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ନିୟମକୁ କଡ଼ାକଡ଼ି କରିଛନ୍ତି । ଏଣିକି କୌଣସି ସରକାରୀ ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ସ୍ଥାନାନ୍ତର ଏବଂ ନିଯୁକ୍ତିରେ ସ୍ୱଚ୍ଛତା, ସମାନତା ଏବଂ ପ୍ରଶାସନିକ ଦକ୍ଷତା ସୁନିଶ୍ଚିତ କରିବାକୁ ଓଡ଼ିଶା ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି ।
ନିୟମ ଅନୁଯାୟୀ ପ୍ରତିବର୍ଷ ଏପ୍ରିଲ ୧୫ ରୁ ଜୁନ୍ ୧୫ ମଧ୍ୟରେ ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ହେବ । ଯଦି ଅନ୍ୟ ସମୟରେ କାହାକୁ ସ୍ଥାନାନ୍ତର କରାଯାଏ ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ବାଧ୍ୟତାମୂଳକ । ଏହି ନିୟମ ସମସ୍ତ ବିଭାଗର ସମସ୍ତ ବର୍ଗର କର୍ମଚାରୀଙ୍କ ପାଇଁ ଲାଗୁ ହେବ ।
ସେହିପରି କୌଣସି ଅଧିକାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ଯଦି ଆବଶ୍ୟକ ପଡ଼େ ଜନତା ସ୍ୱାର୍ଥ ଦୃଷ୍ଟିରୁ ଏହି ସମୟ ମଧ୍ୟରେ ସ୍ଥାନାନ୍ତର କରାଯିବ ।
ସେହିପରି ଗ୍ରୁପ-ଏ ଏବଂ ଗ୍ରୁପ୍-ବି ବର୍ଗର ଅଧିକାରୀ ଏକ ନିର୍ଦ୍ଧିଷ୍ଟ ଜିଲ୍ଲାରେ 6 ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ସେହିପରି ଗ୍ରୁପ-ସି ଅଧିକାରୀମାନେ ଗୋଟିଏ ନିର୍ଦ୍ଦିଷ୍ଠ ବ୍ଲକ୍ କିମ୍ବା ତହସିଲରେ ମଧ୍ୟ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ।
ସାଧାରଣତଃ ଗ୍ରୁପ-ଏ ଏବଂ ଗ୍ରୁପ-ବି ପଦବୀ ସମ୍ବନ୍ଧୀୟ ସମ୍ବେଦନଶୀଳ ପଦବୀରେ ଅଧିକାରୀମାନଙ୍କୁ ନିଜସ୍ୱ ଜିଲ୍ଲାରେ ନିଯୁକ୍ତି ଦିଆଯିବ ନାହିଁ । ସମ୍ବେଦନଶୀଳ ପଦବୀଗୁଡ଼ିକ ସମ୍ପୃକ୍ତ ପ୍ରଶାସନିକ ବିଭାଗ ଦ୍ୱାରା ନିଷ୍ପତ୍ତି ନିଆଯାଇପାରେ। ମାତ୍ର ଅବସରର ଦ୍ୱିତୀୟ ବର୍ଷ ପୂର୍ବରୁ ଏହି ଅଧିକାରୀମାନଙ୍କୁ ନିଜସ୍ୱ ଜିଲ୍ଲା କିମ୍ବା ସେମାନଙ୍କ ଇଚ୍ଛା ମୁତାବକ ଜିଲ୍ଲାରେ ନିଯୁକ୍ତି ଦିଆଯିବ ।
ସେହିପରି ଯେଉଁ ଅଧିକାରୀମାନେ କେବିକେ (କଳାହାଣ୍ଡି, ବଲାଙ୍ଗିର, କୋରାପୁଟ) ଜିଲ୍ଲାରେ ନିଜର ୬ ବର୍ଷ ଚାକିରୀ ପୂରଣ କରିଥିବେ ପରବର୍ତ୍ତୀ ସମୟରେ ସେମାନଙ୍କ ନିଜ ଇଚ୍ଛା ମୁତାବକ ସରକାର ନିଯୁକ୍ତି ଦେବେ । ନିଜ ଗୃହ ଜିଲ୍ଲା କିମ୍ବା ଇଚ୍ଛା ମୁତାବକ ଜିଲ୍ଲାରେ ଉକ୍ତ ଅଧିକାରୀଙ୍କୁ ନିଯୁକ୍ତି ମିଳିବ ।
ସେହିପରି ଅଧିକାରୀ ଦମ୍ପତ୍ତିଙ୍କୁ ମଧ୍ୟ ସମାନ ଜିଲ୍ଲାରେ ନିଯୁକ୍ତି ମିଳିବ । ଅର୍ଥାତ ଯେଉଁ ପ୍ରଶାସନିକ ଦମ୍ପତ୍ତି ଚାକିରୀ କରିଥିବେ ସେମାନଙ୍କୁ ଗୋଟିଏ ଜିଲ୍ଲାରେ ନିଯୁକ୍ତି ମିଳିବାର ପ୍ରାବଧାନ କରାଯାଇଛି । ସେହିପରି ସଚିବାଳୟରେ ମନ୍ତ୍ରୀସ୍ତରୀୟ କ୍ୟାଡରେ ଥିବା ଅଧିକାରୀ କିମ୍ବା କୌଣସି ବିଭାଗୀୟ ମୁଖ୍ୟ ଗୋଟିଏ ପଦବୀରେ ତିନି ବର୍ଷରୁ ଉର୍ଦ୍ଧ୍ୱ ସମୟ ରହିପାରିବେ ନାହିଁ । ଆବଶ୍ୟକ ସ୍ଥଳେ ଏହି ନିୟମରେ ପରିବର୍ତ୍ତନ କରାଯାଇପାରେ ।