ରାୟଗଡ଼ା: ଅଘୋଷିତ ବିଦ୍ୟୁତ କାଟ ପାଇଁ ବନ୍ଧା ପଡ଼ିଲେ ବିଦ୍ୟୁତ କର୍ମଚାରୀ । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ବାରମ୍ବାର ବିଦ୍ୟୁତକାଟ ପାଇଁ ତାତିଛନ୍ତି ଗ୍ରାମବାସୀ । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁମ୍ଭାର ଧାମୁଣୀ ଗ୍ରାମରେ ବିଦ୍ୟୁତ ବିଭାଗର ୫ କର୍ମଚାରୀ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରହିଛନ୍ତି ।
ବର୍ତ୍ତମାନେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଲୋକେ ସନ୍ତୁଳି ହୋଇଗଲେଣି । ସେପଟେ ବାରମ୍ବାର ବିଦ୍ୟୁତ କାଟକୁ ନେଇ କୁମ୍ଭାର ଧାମୁଣୀ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । କିନ୍ତୁ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ । ଶେଷରେ ବିଦ୍ୟୁତ କର୍ମଚାରୀଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି । ବିଭାଗ ନିକଟରେ ବିଦ୍ୟୁତ ସମସ୍ୟାକୁ ନେଇ ଗ୍ରାମ ବାସୀଙ୍କ ତରଫରୁ ବାରମ୍ବାର ଅଭିଯୋଗ ସ୍ୱତ୍ୱେ କୌଣସି ସମାଧାନ ନ ହେବାରୁ ଏଭଳି ପରସ୍ଥିତ ଉପୁଜିଛି । ଯେଉଁ ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ର ଅଧିକାରୀ ଗ୍ରାମବାସୀଙ୍କ ନିକଟରେ ପହଂଚି ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ନ ଦେଇଛନ୍ତି ସେପର୍ଯ୍ୟନ୍ତ ଅଟକ ଥିବା ବିଦ୍ୟୁତ କର୍ମଚାରୀ ଛଡାଜିବ ନାହିଁ ବୋଲି ଗ୍ରାମବାସୀ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଖବର ଲେଖା ହେବା ସୁଦ୍ଧା ଘଟଣା ସ୍ଥଳରେ ପୋଲିସ କିମ୍ବା ବିଦ୍ୟୁତ ବିଭାଗର ଅଧିକାରୀ ପହଁଚି ନ ଥିଲେ ।