ଭୁବନେଶ୍ୱର: କେନ୍ଦୁଝରରେ କାଳବୈଶାଖୀ ପ୍ରଭାବରେ ୩ ଜଣ ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ମୃତଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଦିଆଯିବ ।
ଆଜି ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲ୍ଲା ନରଣପୁର ଗୁଡାସାହିରେ ଅଘଟଣ ଘଟିଥିଲା । ଏକ ଟେଣ୍ଟ ହାଉସ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଟେଣ୍ଟ୍ ହାଉସ୍ ଉପରେ ଆଜବେଷ୍ଟସ୍ ଛାଉଣି ଥିବା ବେଳେ ତଳେ ବାଉଁଶ ବାନ୍ଧି ଟେଣ୍ଟ କପଡ଼ା ରଖାଯାଇଥିଲା । କାଳବୈଶାଖୀ ପ୍ରଭାବରେ ଏହାର ଆଜବେଷ୍ଟସ୍ ଉଡ଼ିଯାଇ ଭିତର ବାଉଁଶ ଭୁସୁଡ଼ି ପଡ଼ିବାରୁ ତଳେ ବସିଥିବା ୪ଜଣ ଟେଣ୍ଟ ହାଉସ କର୍ମଚାରୀଙ୍କ ଉପରେ ପଡ଼ିଯାଉଥିଲା । ଫଳରେ ସେଠାରେ ୩ଜଣ ମୃତ୍ୟୁବରଣ କରିଥିଲେ । ଅନ୍ୟ ଜଣେ ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଏବଂ ଟାଉନ୍ ଥାନା ପୋଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।