ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ଓଡ଼ିଶାବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ଆସନ୍ତା ମେ ୨୮ ଓ ୨୯ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)।
ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ବାୟୁମଣ୍ଡଳରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେଉଥିବାରୁ ବଙ୍ଗୋପସାଗରରେ ଏହି ଲଘୁଚାପ ଗଠନ ହୋଇପାରେ। ଏହା ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତର ଅନେକ ଅଞ୍ଚଳରେ ବର୍ଷା ଓ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି।
ଆଇଏମଡି କହିଛି ଯେ ଉତ୍ତର ଭାରତ ମହାସାଗରରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ୯୧ରୁ ୯୭ ପ୍ରତିଶତ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଘୂର୍ଣ୍ଣିଝଡ଼ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ଲଘୁଚାପ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ତାପମାତ୍ରା କମିବାର ସମ୍ଭାବନା ରହିଛି। ଫଳରେ ଦୀର୍ଘ ଦିନ ଧରି ଜାରି ରହିଥିବା ତାତି ଓ ଅସହ୍ୟ ଗୁଳୁଗୁଳିରୁ ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିପାରେ।
ପାଣିପାଗ ବିଭାଗର ଏହି ପୂର୍ବାନୁମାନ ଚାଷୀଙ୍କ ପାଇଁ ମଧ୍ୟ ଖୁସି ଖବର ଆଣିଛି। ବର୍ଷା ହେଲେ ଚାଷ କାମ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।