ଗଞ୍ଜାମ: ଅଧୁରା ରହିଗଲା ଦେବୀ ମା’ଙ୍କ ଦର୍ଶନ । ଅଧା ରାସ୍ତାରେ ଦୁର୍ଘଟଣାରେ ଚାଲିଗଲା ପ୍ରାଣ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧିନ ଲଡକାପଲ୍ଲୀ ଛକ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ କୋଦଳା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ମାଳି ବେହେରା, ନୃସିଂହ ବେହେରା, ଲୀଳାବତୀ ବେହେରା, ନେହା ବେହେରା ଓ କିରଣ ବେହେରା । ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି ।
ପ୍ରାଥମିକ ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ କେ ନୂଆଗାଁ ଥାନା ଅଧୀନସ୍ଥ ଏରେଣ୍ଡ୍ରା ଗ୍ରାମର ୧୦ ଜଣ ଶ୍ରଦ୍ଧାଳୁ ପୋଲସରା ଥାନା ଅଞ୍ଚଳରେ ଥିବା ସିଂହାସନୀ ପୀଠକୁ ଦର୍ଶନ କରିବାକୁ ଯାଉଥିଲେ । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡକାପଲ୍ଲୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ ଅଟୋକୁ ପଛ ପଟୁ ଏକ ଶକ୍ତ ଧକ୍କା ଦେଇଥିଲା । ପରେ ଅଟୋକୁ କିଛି ବାଟ ଘୋଷାଡ଼ି ନେଇ ଏକ ଗଛରେ ପିଟି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମାଳି ବେହେରା, ନୃସିଂହ ବେହେରା, ଲୀଳାବତୀ ବେହେରା, ନେହା ବେହେରା ଓ କିରଣ ବେହେରାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣଙ୍କ ଚିକିତ୍ସା ଜାରି ରହିଛି । ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତାର କରାଯାଇଛି । ମୃତକଙ୍କ ସଂଖ୍ୟା ବଢ଼ିବାରେ ଆଶଙ୍କା ରହିଛି ।
ସେପଟେ ଦୁର୍ଘଟଣା ଘଟାଇବା ପରେ ବସ୍ ଟି ସେଠାରୁ ଫେରାର ହୋଇଯାଇଛି । ଅଟୋର ଫଟୋକୁ ଦେଖିବା ପରେ ଦୁର୍ଘଟଣା କେତେ ଭୟଙ୍କର ଥିବା ତାହା ଅନୁମାନ କରାଯାଉଛି । କୋଦଳା ଏବଂ ପୁରୁଷୋତ୍ତମପୁର ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହ ଗୁଡ଼ିକୁ ଜବତ କରିଛି । ସେପଟେ ଏରେଣ୍ଡ୍ରା ଗ୍ରାମରେ ଶୋକାକୁଳ ପରିବେଶେ ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ସହାୟତା ଦେବା ସହିତ ବସ୍ ଡ୍ରାଇଭରକୁ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।