ବାଲେଶ୍ୱର: ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଥିଲେ ଦାରିଦ୍ର୍ୟ କେବେ ବି ସଫଳତାର ପଥରେ ବାଧା ହୋଇପାରେ ନାହିଁ। ଏହାକୁ ପୁଣିଥରେ ସତ୍ୟ ପ୍ରମାଣ କରିଛନ୍ତି ନୀଳଗିରିର ଝିଅ ପୁଷ୍ପଲତା। ଛୋଟିଆ ଝୁମ୍ପୁଡ଼ି ଘର, ଅଭାବ ଅନଟନ ଓ ଅସଂଖ୍ୟ ସଂଘର୍ଷ ମଧ୍ୟରେ ବଢ଼ି ଉଠିଥିବା ପୁଷ୍ପଲତା ଯୁକ୍ତ ଦୁଇ କଳା ପରୀକ୍ଷାରେ ୫୪୩ ନମ୍ବର ରଖି ଟପ୍ପର ହୋଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ପୁଷ୍ପଲତାଙ୍କ ସଫଳତା ପଛରେ ରହିଛି ଏକ ଦୁଃଖଭରା କାହାଣୀ। ପ୍ରାୟ ୧୫ ବର୍ଷ ପୂର୍ବେ ବାପା ଖଗେନ୍ଦ୍ରଙ୍କ ଦେହାନ୍ତ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ବିଧବା ମା’ ଜୟନ୍ତୀ ଗାଁ ସ୍କୁଲରେ ପାଚିକା ଭାବେ କାମ କରିବା ସହ ଛେଳି ପାଳି ପରିବାର ଚଳାଉଥିଲେ। ଅନେକ ସମୟରେ ଦୁଇ ଓଳା ଭଲରେ ଖାଇବାକୁ ମିଳୁନଥିଲା, ନିଜସ୍ୱ ଘରର ସ୍ୱପ୍ନ ମଧ୍ୟ ଅଧରା ଥିଲା। ତଥାପି ଝିଅର ପାଠପଢ଼ାରେ କେବେ ଅବହେଳା କରିନଥିଲେ ଜୟନ୍ତୀ।
ମା’ଙ୍କ ତ୍ୟାଗ ଓ ନିଜର ଅକ୍ଳାନ୍ତ ପରିଶ୍ରମ ବଳରେ ପୁଷ୍ପଲତା ଆଜି ନୀଳଗିରି କଲେଜର ଗର୍ବ ପାଲଟିଛନ୍ତି। ଫଳ ପ୍ରକାଶ ପରେ ଗାଁରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଶୁଭେଚ୍ଛା ଜଣାଇବାକୁ ଘର ଆଗରେ ଲୋକଙ୍କ ଭିଡ଼ ଲାଗିରହିଛି।
ତେବେ ଫଳାଫଳ ଆସିବା ପରେ ସଫଳତାକୁ ନେଇ ପୁଷ୍ପଲତା କହିଛନ୍ତି, ଆଗାମୀ ଦିନରେ ସରକାରୀ ଚାକିରି ପାଇ ମା’ଙ୍କ ସବୁ ଦୁଃଖ ଦୂର କରିବା ତାଙ୍କର ଲକ୍ଷ୍ୟ। ଆଜି ତାଙ୍କ ସଫଳତା କେବଳ ଗୋଟିଏ ପରିବାରର ନୁହେଁ, ବରଂ ସଂଘର୍ଷ ମଧ୍ୟରେ ସ୍ୱପ୍ନ ଦେଖୁଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର କାହାଣୀ।