ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଗୁରୁବାର ରାତିରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଆକ୍ରମଣ ଥାନା ପଛ ପାର୍ଶ୍ୱରେ ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ୪ଟି ବାଇକରେ ୭ରୁ ୮ ଜଣ ଯୁବକ ହଠାତ୍ ସେଠାରେ ପହଞ୍ଚିଥିଲେ। କିଛି ସମୟ ମଧ୍ୟରେ ସେମାନେ ଘର ଉପରକୁ ବୋମା ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେତେବେଳେ ଏନ୍ଏସି ଅଧ୍ୟକ୍ଷ ଘରେ ନଥିଲେ, କିନ୍ତୁ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଭାଗ୍ୟବଶତଃ ଏହି ବିସ୍ଫୋରଣରେ କୌଣସି ଜୀବନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ।
ଘଟଣା ପରେ ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ସିସିଟିଭି ଫୁଟେଜ ଆଧାରରେ କିଛି ସନ୍ଦିଗ୍ଧ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ତେବେ ଆକ୍ରମଣ ପଛରେ କାହାର ହାତ ରହିଛି ଓ ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ରାଜ୍ୟରେ ନିକଟ ଅତୀତରେ ବୋମାମାଡ଼ ଘଟଣା ବୃଦ୍ଧି ପାଉଥିବା ଦେଖାଯାଉଛି। ଗତମାସରେ ପୁରୀର ସାକ୍ଷୀଗୋପାଳ କଲେଜ ଛକ ନିକଟରେ ମଧ୍ୟ ବୋମାମାଡ଼ ଘଟିଥିଲା। ଏଭଳି ଘଟଣା ପୁଣିଥରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି। ଏବେ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଓ ଦୁର୍ବୃତ୍ତଙ୍କ ଗିରଫ ଉପରେ ରହିଛି।