ବହୁ ଚର୍ଚ୍ଚିତ ଭୋପାଳରେ ତ୍ୱିଷା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁର ମାମଲାରେ ବଡ଼ ଟ୍ୱିଷ୍ଟ ଆସିଛି । ମଧ୍ୟ ପ୍ରଦେଶ ହାଇକୋର୍ଟ ଶୁଣାଣି ସମୟରେ ତ୍ୱିଷାଙ୍କ ବାପାଙ୍କ ଘର ପକ୍ଷରୁ କରାଯାଇଥିବା ଦ୍ୱିତୀୟ ଥର ଶବ ବ୍ୟବଚ୍ଛେଦ ଆବେଦନକୁ ଅନୁମତି ମିଳିଛି । ଦିଲ୍ଲୀ ଏମ୍ସରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତ୍ୱିଷାଙ୍କ ଶବ ବ୍ୟବଚ୍ଛେଦ କରିବେ । ସେପଟେ ତ୍ୱିଷାଙ୍କ ସ୍ୱାମୀ ସମର୍ଥ ସିଂହ ଆତ୍ମସମର୍ପଣ କରିବାକୁ ରାଜି ହୋଇଛନ୍ତି । ପତ୍ନୀଙ୍କ ଶବ ସଂସ୍କାର ପାଇଁ ସେ କୋର୍ଟରେ ଆତ୍ମସମର୍ପଣ କରିବାକୁ ତାଙ୍କ ଓକିଲ ଦଲିଲ ଉପସ୍ଥାପନ କରିଛନ୍ତି । କିନ୍ତୁ ତ୍ୱିଷାଙ୍କ ପକ୍ଷ ଓକିଲ ତଥା ସଲିସିଟପ୍ ଜେନେରାଲ୍ ଏହାକୁ ବିରୋଧ କରିଛନ୍ତି । କାହିଁକି ଜଣେ ଫେରାର ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶୁଣାଣି ସମୟରେ ବରିଷ୍ଠ ଓକିଲ ତୁଷାର ମେହେଟ୍ଟା ଭିଡିଓ କନଫରେନ୍ସିଂ ମାଧ୍ୟମରେ ତ୍ୱିଷାଙ୍କ ବାପ ଘର ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ମାମଲାର ଗୁରୁତ୍ୱ ଏବଂ ନିରପେକ୍ଷ ତଦନ୍ତର ଆବଶ୍ୟକତାକୁ ଉଲ୍ଲେଖ କରି, ସେ ଦ୍ୱିତୀୟ ପୋଷ୍ଟମର୍ଟମ୍ କରିବାକୁ ଅନୁରୋଧ କରିଥିଲେ - ଯାହାକୁ କୋର୍ଟ ମଞ୍ଜୁର କରିଥିଲେ । ତ୍ୱିଷାଙ୍କ ମୃତ ଶରୀରକୁ ଦୀର୍ଘ ସମୟ ଧରି ସଂରକ୍ଷିତ କରି ରଖାଯାଇଛି । ତେଣୁ କୋର୍ଟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀର ଏମ୍ସର ଏକ ଡାକ୍ତର ବିଶେଷଜ୍ଞ ଦଳ ନୂତନ ପୋଷ୍ଟମର୍ଟମ୍ ପରୀକ୍ଷା କରିବା ପାଇଁ ଭୋପାଳ ଆସିବେ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ସିଧାସଳଖ ଏକ ଜଉ ମୁଦ ଲଫାପାରେ କୋର୍ଟରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଦ୍ୱାରା ତଦନ୍ତ ପ୍ରକ୍ରିୟାର ଗୋପନୀୟତା ଏବଂ ନିରପେକ୍ଷତା ସୁନିଶ୍ଚିତ ହେବ।
ଶ୍ୱଶୁର ଘର ଲୋକଙ୍କୁ ମିଳିବନି ମୃତଦେହ
ଶୁଣାଣି ସମୟରେ, ତ୍ୱିଶାଙ୍କ ଶ୍ୱଶୁର ଘର ଲୋକଙ୍କ ପକ୍ଷରୁ ମୃତଦେହ ହସ୍ତାନ୍ତର ପାଇଁ ଏକ ଅନୁରୋଧ କରାଯାଇଥିଲା, ମାତ୍ର ହାଇକୋର୍ଟ ଏହି ଦାବିକୁ ଅଗ୍ରାହ୍ୟ କରିଥିଲେ । ଚାଲିଥିବା ତଦନ୍ତ ପ୍ରକ୍ରିୟାର ଗୁରୁତ୍ୱକୁ ଦେଖି ହାଇକୋର୍ଟ ବର୍ତ୍ତମାନ ପାଇଁ ଅନୁରୋଧକୁ ଖାରଜ କରିଦେଇଛନ୍ତି।
ଆତ୍ମସମର୍ପଣ ପାଇଁ ରାଜି ସ୍ୱାମୀ ସମର୍ଥ
ସେପଟେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତ୍ୱିଷାଙ୍କ ସ୍ୱାମୀ ସମର୍ଥ ସିଂହ ଆତ୍ମସମର୍ପଣ କରିବାକୁ ଇଚ୍ଛା କରିଛନ୍ତି । ସେଥିପାଇଁ ସେ ତାଙ୍କର ଆଗୁଆ ଜାମିନ ଆବେଦନକୁ ପ୍ରତ୍ୟାହାର କରିବାକୁ ଆଉ ଏକ ସାନି ଆବେଦନ କରିଛନ୍ତି । ପତ୍ନୀଙ୍କ ଅନ୍ତିମ ସଂସ୍କାର ପାଇଁ ସେ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ସମର୍ଥକଙ୍କ ଓକିଲ ବରିଷ୍ଠ ଅଧିବକ୍ତା ମୃଗେନ୍ଦ୍ର ସିଂହ ଏବଂ ସୌରଭ ସୁନ୍ଦର କୋର୍ଟରେ ଦଲିଲ ଉପସ୍ଥାପନ କରିଛନ୍ତି । ସେ ନିମ୍ନ ଅଦାଲତ କିମ୍ବା ପୋଲିସ ନିକଟରେ ଆତ୍ମସମର୍ପଣ କରିବେ ବୋଲି ଆବେଦନରେ କୁହାଯାଇଛି । ତେଣୁ ହାଇକୋର୍ଟ ନିମ୍ନ ଅଦାଲତ କିମ୍ବା କଟାରା ହିଲ୍ସ ଥାନାରେ ଆତ୍ମସମର୍ପଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।
କିନ୍ତୁ ତ୍ୱିଷାଙ୍କ ପିତା ନବନୀଧି ଶର୍ମା ଏବଂ ସଲିସିଟର୍ ଜେନେରାଲ ଏହି ଆବେଦନକୁ ବିରୋଧ କରିଛନ୍ତି । ସଲିସିଟର୍ ଜେନେରାଲ୍ ଯୁକ୍ତି ରଖିଛନ୍ତି ଯେ ଜଣେ ଫେରାର ଅଭିଯୁକ୍ତକୁ ବିଳାସପୂର୍ଣ୍ଣ ସୁବିଧା ଦିଆଯିବା ଉଚିତ ନୁହେଁ । ଜଣେ ଅଭିଯୁକ୍ତକୁ ନିଜ ହେପାଜତକୁ ନେବା ଏବଂ ଗିରଫ କରିବାକୁ ପୋଲିସର ସମ୍ପୂର୍ଣ୍ଣ ଅଧିକାର ରହିଛି । ଏହାର ଜବାବର ସମର୍ଥକଙ୍କ ଓକିଲ କହିଛନ୍ତି ଯେ ସେ କୌଣସି ଆତଙ୍କବାଦୀ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ନୁହଁନ୍ତି । ଯେହେତୁ ଗଣମାଧ୍ୟମରେ ଏହି ମାମଲାର ବହୁତ ପ୍ରଚାର ପ୍ରସାର ହୋଇସାରିଛି ତେଣୁ ସେମାନେ ଏହି ପ୍ରକ୍ରିୟା ଆପଣାଉଛନ୍ତି ।
ଶୁଣାଣି ସମୟରେ, ହାଇକୋର୍ଟ ମତ ଦେଇଥିଲେ ଯେ ଏହି ମାମଲାରେ ଏପର୍ଯ୍ୟନ୍ତ ଚାର୍ଜସିଟ୍ ଦାଖଲ ହୋଇନାହିଁ ଏବଂ ଏପରି ଅନେକ ମାମଲାରେ କୋର୍ଟ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ଅନୁମତି ଦେଇଛନ୍ତି। କୋର୍ଟ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଯଦି ଜଣେ ଅଭିଯୁକ୍ତ ଚାର୍ଜସିଟ୍ ଦାଖଲ ପୂର୍ବରୁ ରିମାଣ୍ଡ କୋର୍ଟରେ ଆତ୍ମସମର୍ପଣ କରନ୍ତି, ତେବେ ସମ୍ପୃକ୍ତ କୋର୍ଟ ତଦନ୍ତକାରୀ ଅଧିକାରୀଙ୍କୁ ନୋଟିସ୍ ଜାରି କରିବାକୁ ବାଧ୍ୟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ସ୍ଥିର କରାଯାଇଛି ।