ନୂଆଦିଲ୍ଲୀ: ରାଜ୍ୟସଭାରେ ଖାଲି ହେବାକୁ ଥିବା ୨୬ଟି ଆସନ ପାଇଁ ନିର୍ବାଚନ ବିଗୁଲ ବାଜିଛି । ଶୁକ୍ରବାର ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଜୁନ ୧୨ ତାରିଖରେ ୧୦ଟି ରାଜ୍ୟର ମୋଟ ୨୬ଟି ରାଜ୍ୟସଭା ଆସନ ପାଇଁ ମତଦାନ ହେବ ।
ଜୁନ ୨୧ ରୁ ଜୁଲାଇ ୧୯ ମଧ୍ୟରେ ୧୦ଟି ରାଜ୍ୟର ମୋଟ ୨୪ଟି ଆସନ ଖାଲି ହେବାକୁ ଯାଉଛି । ଆନ୍ଧ୍ର ପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକର ୪ଟି ଲେଖାଏଁ ଆସନ ଖାଲି ହେବ । ସେହିପରି ମଧ୍ୟ ପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏଁ, ଝାଡ଼ଖଣ୍ଡର ୨ଟି, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ଗୋଟିଏ ଲେଖାଏଁ ଆସନ ଖାଲି ହେବ । ସେହିପରି ମହାରାଷ୍ଟ୍ର ଏବଂ ତାମିଲନାଡ଼ୁର ଗୋଟିଏ ଲେଖାଏଁ ଆସନ ପାଇଁ ଉପନିର୍ବାଚନ ହେବ । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ଇସ୍ତଫା ପରେ ଉକ୍ତ ଆସନ ଖାଲି ପଡ଼ିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସାଂସଦ ଏଚଡି ଦେବେ ଗୌଡ଼ା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଦିଗବିଜୟ ସିଂହ, କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ, ଜର୍ଜ କୁରିଆନ, ଶକ୍ତିସିଞ୍ଜି ଗୋଭିଲ୍ ପ୍ରମୁଖଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ।