ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ2026) ର ୬୭ତମ ମ୍ୟାଚ୍ରେ ଏକ ହାଇ-ସ୍କୋରିଂ ଲଢେଇ ଦେଖିବାକୁ ମିଳିଛି। ସନରାଇଜର୍ସ ହାଇଦ୍ରାବାଦ ନିଜର ଦମଦାର ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୫୫ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏତେ ବଡ଼ ବିଜୟ ସତ୍ତ୍ୱେ ହାଇଦ୍ରାବାଦ ଦଳକୁ ପଏଣ୍ଟ ଟେବୁଲ୍ ଦୃଷ୍ଟିରୁ କ୍ଷତି ସହିବାକୁ ପଡ଼ିଛି। ଅନ୍ୟପଟେ, ମ୍ୟାଚ୍ ହାରି ମଧ୍ୟ ଆରସିବି ପଏଣ୍ଟ ଟେବୁଲର ଶୀର୍ଷ ୨ଟି ସ୍ଥାନ ମଧ୍ୟରେ ନିଜକୁ ବଜାୟ ରଖିବାରେ ସଫଳ ହୋଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୫୫ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ପ୍ଲେ-ଅଫ୍ ସମୀକରଣ ଅନୁଯାୟୀ, ବେଙ୍ଗାଲୁରୁକୁ ପଏଣ୍ଟ ଟେବୁଲର ଟପ୍-୨ରେ ରହିବା ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ ନଥିଲା, ବରଂ ଅତିକମରେ ୧୬୬ ରନ୍ କରିବା ଆବଶ୍ୟକତା ଥିଲା। ଜବାବରେ ଆରସିବି ଦଳ ମ୍ୟାଚ୍ ଜିତି ନପାରିଲେ ବି ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୦ ରନ୍ କରିବାରେ ସକ୍ଷମ ହୋଇଥିଲା।
ଏହି ୨୦୦ ରନ୍ ବଳରେ ଆରସିବି ନିଜର ନେଟ୍ ରନ୍ ରେଟ୍କୁ ସୁରକ୍ଷିତ ରଖି ଟପ୍-୨ରେ ସ୍ଥାନ ପକ୍କା କରିଛି। ଆଇପିଏଲ୍ ନିୟମ ଅନୁଯାୟୀ, ଶୀର୍ଷ ଦୁଇଟି ସ୍ଥାନରେ ରହୁଥିବା ଦଳକୁ ଫାଇନାଲରେ ପହଞ୍ଚିବା ପାଇଁ ଦୁଇଟି ସୁଯୋଗ ମିଳିଥାଏ। ପ୍ରଥମ କ୍ୱାଲିଫାୟର୍ରେ ହାରିଲେ ମଧ୍ୟ ସେମାନଙ୍କ ପାଖରେ କ୍ୱାଲିଫାୟର୍-୨ ଖେଳି ଫାଇନାଲ୍ ଟିକେଟ୍ ହାସଲ କରିବାର ସୁବର୍ଣ୍ଣ ସୁଯୋଗ ରହିବ। ଏହି କାରଣରୁ ବେଙ୍ଗାଲୁରୁ ମ୍ୟାଚ୍ ହାରି ମଧ୍ୟ ବଡ଼ ଫାଇଦାରେ ରହିଛି।
ବଡ଼ ବିଜୟ ପରେ ବି ନିରାଶ ହାଇଦ୍ରାବାଦ
ଅନ୍ୟପଟେ ହାଇଦ୍ରାବାଦ ଦଳ ଏହି ମ୍ୟାଚ୍କୁ ଏକତରଫା ଭାବେ ଜିତି ମଧ୍ୟ କୌଣସି ଲାଭ ପାଇନାହିଁ। ଦଳ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ହିଁ ସୀମିତ ରହିଯାଇଛି। ତୃତୀୟ ଏବଂ ଚତୁର୍ଥ ନମ୍ବରରେ ରହୁଥିବା ଦଳ ପାଇଁ ଫାଇନାଲର ରାସ୍ତା ଅତ୍ୟନ୍ତ କଠିନ ହୋଇଥାଏ। ସେମାନଙ୍କୁ ପ୍ରଥମେ ଏଲିମିନେଟର ମ୍ୟାଚ୍ ଖେଳିବାକୁ ପଡ଼ିବ ଏବଂ ସେଥିରେ ଜିତିବା ପରେ କ୍ୱାଲିଫାୟର୍-୨ରେ ବିଜୟୀ ହେବାକୁ ହେବ। ଅର୍ଥାତ୍ ହାଇଦ୍ରାବାଦକୁ ଫାଇନାଲରେ ପହଞ୍ଚିବା ପାଇଁ ଏବେ କ୍ରମାଗତ ଦୁଇଟି ମ୍ୟାଚ୍ ଜିତିବାକୁ ପଡ଼ିବ ଏବଂ ଏଥିରୁ ଗୋଟିଏ ବି ମ୍ୟାଚ୍ ହାରିଲେ ଦଳ ଟୁର୍ଣ୍ଣାମେଣ୍ଟରୁ ସିଧାସଳଖ ବିଦାୟ ନେବ। ତେଣୁ ବିଜୟ ସତ୍ତ୍ୱେ ହାଇଦ୍ରାବାଦ ଶିବିରରେ ନିରାଶା ଦେଖାଦେଇଛି।
ଇଶାନ, ଅଭିଷେକ ଓ କ୍ଲାସେନଙ୍କ ବ୍ୟାଟିଂ ଧମାକା
ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ହାଇଦ୍ରାବାଦର ବ୍ୟାଟରମାନେ ପଡ଼ିଆର ଚତୁର୍ଦ୍ଦିଗରେ ଚୌକା ଓ ଛକାର ବର୍ଷା କରିଥିଲେ। ଦଳ ପାଇଁ ଓପନର ଇଶାନ କିଷାନ ସବୁଠାରୁ ଆକର୍ଷଣୀୟ ପାଳି ଖେଳିଥିଲେ। ସେ ମାତ୍ର ୪ ୬ଟି ବଲ୍ର ସାମ୍ନା କରି ୮ଟି ଚୌକା ଓ ୩ଟି ବିଶାଳ ଛକା ସହାୟତାରେ ୭୯ ରନ୍ ସଂଗ୍ରହ କରିଥିଲେ। ଅନ୍ୟପଟେ ଅଭିଷେକ ଶର୍ମା ମଧ୍ୟ ନିଜର ବିସ୍ଫୋରକ ଶୈଳୀ ଜାରି ରଖି ମାତ୍ର ୨୨ଟି ବଲରେ ୪ଟି ଚୌକା ଏବଂ ୫ଟି ଛକା ମାରି ୫୬ ରନର ଧୂଆଁଧାର ଇନିଂସ ଖେଳିଥିଲେ। ମଧ୍ୟକ୍ରମରେ ହେନ୍ରିକ୍ କ୍ଲାସେନ ମଧ୍ୟ ପଛରେ ରହିନଥିଲେ, ସେ ୨୪ଟି ବଲରେ ୨ଟି ଚୌକା ଓ ୫ଟି ଛକା ସହ ୫୧ ରନ୍ କରି ଦଳୀୟ ସ୍କୋରକୁ ଏକ ବିଶାଳ ସ୍ତରକୁ ନେଇଯାଇଥିଲେ। ଏହାବାଦ୍ ଟ୍ରେଭିସ୍ ହେଡ୍ ୧୬ ବଲରେ ୨୬ ରନ୍ ଏବଂ ନୀତିଶ କୁମାର ରେଡ୍ଡୀ ଶେଷ ଆଡ଼କୁ ଦ୍ରୁତ ବ୍ୟାଟିଂ କରି ୧୨ ବଲରେ ଅପରାଜିତ ୨୯ ରନ୍ ଯୋଡ଼ିଥିଲେ।
ଆରସିବିର ବ୍ୟାଟିଂ ବିଫଳତା
୨୫୬ ରନର ଏକ ପାହାଡ଼ ସଦୃଶ ଲକ୍ଷ୍ୟକୁ ପିଛା କରିବା ବେଙ୍ଗାଲୁରୁ ପାଇଁ ଆଦୌ ସହଜ ନଥିଲା। ଦଳ ପ୍ରାରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାପରେ ପଡ଼ିଯାଇଥିଲା। ଦଳ ପକ୍ଷରୁ ଅଧିନାୟକ ରଜତ ପାଟିଦାର ସର୍ବାଧିକ ୩୯ଟି ବଲ୍ ଖେଳି ୬ଟି ଚୌକା ଓ ୧ଟି ଛକା ସହ ୫୬ ରନର ଦାୟିତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ଅଲରାଉଣ୍ଡର ଭେଙ୍କଟେଶ ଆୟର ମଧ୍ୟ ଭଲ ପ୍ରଦର୍ଶନ କରି ୧୯ଟି ବଲରେ ୪ଟି ଚୌକା ଏବଂ ୪ଟି ଛକା ସହାୟତାରେ ୪୪ ରନ୍ କରିଥିଲେ। କିନ୍ତୁ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ମାତ୍ର ୧୫ ରନ୍ ଏବଂ ଦେବଦତ୍ତ ପାଡିକ୍କଲ ୨୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଶେଷ ଓଭରଗୁଡ଼ିକରେ ଟ୍ରିମ୍ ଡେଭିଡ୍ ଅପରାଜିତ ୧୫ ରନ୍ ଏବଂ କ୍ରୁନାଲ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୪୧ ରନ୍ରେ ଅପରାଜିତ ରହି ଦଳକୁ ୨୦୦ ରନ୍ ପର୍ଯ୍ୟନ୍ତ ପହଞ୍ଚାଇଥିଲେ, ଯାହା ସେମାନଙ୍କୁ ପ୍ଲେ-ଅଫ୍ର ଶୀର୍ଷ-୨ରେ ରଖିବା ପାଇଁ ଯଥେଷ୍ଟ ଥିଲା। ହାଇଦ୍ରାବାଦ ପକ୍ଷରୁ ଇଶାନ ମାଲିଙ୍ଗା ସବୁଠାରୁ ସଫଳ ବୋଲର ଭାବେ ୨ଟି ୱିକେଟ୍ ଅଖତିଆର କରିଥିଲେ।