ବେଙ୍ଗାଲୁରୁ/ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସ ସରକାରରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଗୁଞ୍ଜରଣ ଆରମ୍ଭ ହୋଇଛି। ସୂତ୍ର ଅନୁସାରେ, କଂଗ୍ରେସ ହାଇକମାଣ୍ଡ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିଥିବା ନେଇ ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସମର୍ଥକମାନେ ଦାବି କରୁଛନ୍ତି। ଏହି ଚର୍ଚ୍ଚା ମଧ୍ୟରେ ନୂଆଦିଲ୍ଲୀରେ କଂଗ୍ରେସର ଶୀର୍ଷ ନେତାମାନଙ୍କ ମଧ୍ୟରେ ବୈଠକର କ୍ରମାଗତ କାର୍ଯ୍ୟସୂଚୀ ଜାରି ରହିଛି।
ସିଦ୍ଧରମୈୟା ଦେବେ କି ଇସ୍ତଫା ?
ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପଦ ତ୍ୟାଗ କରିବା ପାଇଁ ହାଇକମାଣ୍ଡଙ୍କୁ କିଛି ସମୟ ମାଗିଛନ୍ତି। ତେବେ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ମୁଖ୍ୟପଦ ଛାଡ଼ି ପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହି ବିବାଦ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଦ୍ଧରମୈୟାଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରିଛନ୍ତି, ଯାହା ଏହି ଘଟଣାର ଗମ୍ଭୀରତାକୁ ବଢ଼ାଇ ଦେଇଛି। କର୍ଣ୍ଣାଟକରେ କଂଗ୍ରେସ ଶାସନର ୩ ବର୍ଷ ପୂରଣ ହେବା ପରଠାରୁ ହିଁ ମନ୍ତ୍ରିମଣ୍ଡଳ ଅଦଳବଦଳ ଏବଂ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନର ସୂଚନା ମିଳୁଥିଲା।
କଂଗ୍ରେସର ସ୍ପଷ୍ଟୀକରଣ: ସବୁ କେବଳ କଳ୍ପନାଜଳ୍ପନା
ଅନ୍ୟପଟେ ନେତୃତ୍ଵ ପରିବର୍ତ୍ତନର ଏହି ଖବରକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି କଂଗ୍ରେସ। ପାର୍ଟି ମୁଖ୍ୟାଳୟ ‘ଇନ୍ଦିରା ଭବନ’ରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ ଏବଂ ପ୍ରଦେଶ ପ୍ରଭାରୀ ରଣଦୀପ ସୁରଜେୱାଲା ଉପସ୍ଥିତ ଥିଲେ।
ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେ.ସି. ବେଣୁଗୋପାଳ କହିଛନ୍ତି ଯେ, ସିଦ୍ଧରମୈୟା ଓ ଡିକେ ଶିବକୁମାରଙ୍କ ସହ ହୋଇଥିବା ଆଲୋଚନା କେବଳ ଆଗାମୀ ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନକୁ ନେଇ କେନ୍ଦ୍ରୀଭୂତ ଥିଲା। ସିଏମ୍ ପଦ ବଦଳିବା ନେଇ ଚାଲିଥିବା ଖବରରେ କୌଣସି ସତ୍ୟତା ନାହିଁ।
କଣ ରହିଛି ଭିତିରି ରାଜନୀତି?
ସୂତ୍ର ଅନୁସାରେ, ଦଳର କିଛି ବରିଷ୍ଠ ନେତା ସିଦ୍ଧରମୈୟାଙ୍କୁ ରାଜ୍ୟସଭାକୁ ପଠାଇ ତାଙ୍କ ସ୍ଥାନରେ ସଂଗଠନର ସଙ୍କଟମୋଚକ ସାଜିଥିବା ଡିକେ ଶିବକୁମାରଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବାକୁ ପ୍ରସ୍ତାବ ଦେଇଛନ୍ତି। କର୍ଣ୍ଣାଟକରୁ ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ମଧ୍ୟରୁ କଂଗ୍ରେସ ୩ଟି ଜିତିବା ସ୍ଥିତିରେ ଅଛି। ସିଦ୍ଧରମୈୟା ନିଜେ ୫ ବର୍ଷର କାର୍ଯ୍ୟକାଳ ପୂରଣ କରିବେ ବୋଲି ଦୋହରାଇଥିବା ବେଳେ ଶିବକୁମାର କହିଛନ୍ତି ଯେ ସେ ହାଇକମାନଙ୍କ ନିଷ୍ପତ୍ତିକୁ ମାନିବାକୁ ପ୍ରସ୍ତୁତ। ବର୍ତ୍ତମାନ ପରିସ୍ଥିତି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆଗାମୀ ଦିନରେ କର୍ଣ୍ଣାଟକ ରାଜନୀତିରେ କୌଣସି ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିପାରେ।
Also Read: ଦେଶରେ ଅନୁପ୍ରବେଶ ଉପରେ ଲାଗିବ ଅଙ୍କୁଶ, କେନ୍ଦ୍ର ସରକାର ଗଠନ କଲେ ଉଚ୍ଚ ସ୍ତରୀୟ କମିଟି