ନୂଆଦିଲ୍ଲୀ: ଦେଶରେ ଅବୈଧ ଅନୁପ୍ରବେଶ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ବିପଦ । ଦେଶରେ ଅପ୍ରାକୃତିକ ଜନସଂଖ୍ୟା ପରିବର୍ତ୍ତନ ଏବଂ ଅନୁପ୍ରବେଶ ଉପରେ ଅଙ୍କୁଶ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି ।
‘ଅପ୍ରାକୃତିକ ଜନସଂଖ୍ୟାଗତ ପରିବର୍ତ୍ତନ’କୁ ରୋକିବାକୁ ଗଠିତ ହୋଇଥିବା କମିଟିରେ ଜଣେ ଅବସରର ବିଚାରପତି ଅଧ୍ୟକ୍ଷତା କରିବେ । ସେହିପରି ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ, ଆଇପିଏସ୍, ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସଦସ୍ୟ ରହିଛନ୍ତି । ଏହି କମିଟିରେ ଅବସରପ୍ରାପ୍ତ ବିଚାରପତି ପ୍ରକାଶ ପ୍ରଭାକର ନାବଲେକର ଅଧ୍ୟକ୍ଷ ରହିଥିବାବେଳେ, ଜନଗଣନା ଆୟୁକ୍ତ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ ଦୁର୍ଗା ଶଙ୍କର ମିଶ୍ର, ଅବସରପ୍ରାପ୍ତ ଆଇପିଏସ୍ ଶ୍ରୀ ବାଲାଜୀ ଶ୍ରୀବାସ୍ତବ, ଡାକ୍ତର ରଶ୍ମିକା ରବି, ଗୃହ ମନ୍ତ୍ରଳାୟର ଯୁଗ୍ମ ସଚିବ କମିଟିର ସଦସ୍ୟ ରହିଛନ୍ତି ।
‘ଅପ୍ରାକୃତିକ ଜନସଂଖ୍ୟା ପରିବର୍ତ୍ତନ’ ସହିତ ଆମର ସାର୍ବଭୌମତ୍ୱ, ଜାତୀୟ ସୁରକ୍ଷା, ଆଇନ ଏବଂ ଶୃଙ୍ଖଳା, ସାମାଜିକ ଗଠନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏବଂ ଆଦିବାସୀ ସମ୍ପ୍ରଦାୟର ସଂରକ୍ଷଣ ସମ୍ପର୍କରେ ଏକ ଗମ୍ଭୀର ସମସ୍ୟା ରହିଛି । ଏହି କମିଟି ଅବୈଧ ବସବାସ ଏବଂ ଅସ୍ୱାଭାବିକ ଭାବେ ଦେଶରେ ହେଉଥିବା ଜନସଂଖ୍ୟା ପରିବର୍ତ୍ତନର ବ୍ୟାପକ ମୂଲ୍ୟାଙ୍କନ କରିବେ । ଖାଲି ସେତିକି ନୁହେଁ ଧାର୍ମିକ ଏବଂ ଅନ୍ୟ ସଂମ୍ପ୍ରଦାୟର ଜନସଂଖ୍ୟାର ଘଟୁଥିବା ପରିବର୍ତ୍ତନ ଉପରେ ବିଶ୍ଳେଷଣ କରିବେ । ତତ ସହିତ ଏହାର ସମାଧାନ ଏବଂ ନିରାକରଣର ରାସ୍ତା ମଧ୍ୟ ଖୋଜି ବାହାର କରିବେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବୈଧ ପ୍ରବାସୀମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ବିପଦରୁ ଦେଶକୁ ରକ୍ଷା କରିବା ପାଇଁ 'ଜନସଂଖ୍ୟା ମିଶନ' ଘୋଷଣା କରିଥିଲେ। ୭୯ତମ ସ୍ୱାଧୀନତା ଦିବସ ଅବସରରେ ଭାଷଣ ଦେଇ, ସେ ଦେଶର ଜନସଂଖ୍ୟା ପରିବର୍ତ୍ତନ କରିବା ପାଇଁ ଏକ ଷଡ଼ଯନ୍ତ୍ର ବିଷୟରେ ନାଗରିକମାନଙ୍କୁ ସତର୍କ କରାଇଥିଲେ । ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରି ସେ ଜୋର ଦେଇ କହିଥିଲେ ଯେ ଏପରି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "ମୁଁ ଦେଶକୁ ଏକ ଚିନ୍ତା - ଏକ ଚ୍ୟାଲେଞ୍ଜ ବିଷୟରେ ସଚେତନ କରିବାକୁ ଚାହୁଁଛି। ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଅଧୀନରେ, ଦେଶର ଜନସଂଖ୍ୟା ପରିବର୍ତ୍ତନ କରାଯାଉଛି, ଏବଂ ଏକ ନୂତନ ସଙ୍କଟର ମଞ୍ଜି ବୁଣାଯାଉଛି। ଏହି ଅନୁପ୍ରବେଶକାରୀମାନେ ମୋ ଦେଶର ଯୁବପିଢ଼ିଙ୍କ ଜୀବିକା ଛଡ଼ାଇ ନେଉଛନ୍ତି। ସେମାନେ ଆମର ଭଉଣୀ ଏବଂ ଝିଅମାନଙ୍କୁ ଟାର୍ଗେଟ କରୁଛନ୍ତି। ସେମାନେ ଆଦିବାସୀ ସମ୍ପ୍ରଦାୟକୁ ଭ୍ରମିତ କରୁଛନ୍ତି ଏବଂ ସେମାନଙ୍କ ଜମି ଉପରେ ଆକ୍ରମଣ କରୁଛନ୍ତି। ଏହାକୁ ବରଦାସ୍ତ କରାଯିବ ନାହିଁ।"
ଭାରତର ନାଗରିକମାନଙ୍କର ଏକତା, ଅଖଣ୍ଡତା ଏବଂ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଜାତୀୟ ସୁରକ୍ଷା ପ୍ରତି ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ସେ 'ଉଚ୍ଚ-ଶକ୍ତିଶାଳୀ ଜନସଂଖ୍ୟା ମିଶନ' ଆରମ୍ଭ କରିବାର ଘୋଷଣା କରିଥିଲେ।