କୋଲକାତା: ପଶ୍ଚିମବଙ୍ଗର ସାଧାରଣ ଲୋକ ଏବଂ ଗରିବ ଶ୍ରେଣୀ ପାଇଁ ସରକାର ଘୋଷଣା କରିଛନ୍ତି ଏକ ବଡ଼ କଲ୍ୟାଣକାରୀ ଯୋଜନା। ଏବେ ରାଜ୍ୟରେ ମାତ୍ର ୫ ଟଙ୍କାରେ ମିଳିବ ମାଛ-ଭାତ, ଯାହା ବଙ୍ଗାଳୀଙ୍କ ପ୍ରିୟ ଖାଦ୍ୟ ଭାବେ ପରିଚିତ। ଏହି ସୁବିଧା ପାଇଁ ରାଜ୍ୟବ୍ୟାପୀ ପ୍ରାୟ ୪୦୦ଟି ସ୍ୱତନ୍ତ୍ର କ୍ୟାଣ୍ଟିନ୍ ଖୋଲାଯିବ ବୋଲି ଘୋଷଣା ହୋଇଛି।
ଏନେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆୟୋଜିତ ଏକ ସଭାରେ ଏହି ଯୋଜନାର ଘୋଷଣା କରିଥିଲେ। ସେ କହିଥିଲେ ଯେ ସପ୍ତାହରେ ଦୁଇଦିନ ଏହି କ୍ୟାଣ୍ଟିନ୍ଗୁଡ଼ିକରେ ସବସିଡି ଦରରେ ମାଛ-ଭାତ ପରିବେଷଣ କରାଯିବ। ଏହା ଦ୍ୱାରା ଦିନମଜୁରିଆ, ଶ୍ରମିକ, ଅଟୋ ଚାଳକ ଓ ଆର୍ଥିକ ଭାବେ ଦୁର୍ବଳ ଲୋକମାନେ ବିଶେଷ ଭାବେ ଉପକୃତ ହେବେ।
ବଙ୍ଗ ସଂସ୍କୃତିରେ ମାଛ-ଭାତର ଗୁରୁତ୍ୱ ଅତ୍ୟନ୍ତ ସ୍ୱତନ୍ତ୍ର। ‘ମାଛ-ଭାତେ ବଙ୍ଗାଳୀ’ ପ୍ରବାଦଟି ଆଜି ମଧ୍ୟ ରାଜ୍ୟର ଖାଦ୍ୟ ପରମ୍ପରାକୁ ପ୍ରତିଫଳିତ କରେ। ଏଭଳି ସ୍ଥିତିରେ ସରକାରଙ୍କ ଏହି ନୂଆ ପଦକ୍ଷେପକୁ ଲୋକମାନେ ସ୍ୱାଗତ କରୁଛନ୍ତି।
କେବଳ ଖାଦ୍ୟ ନୁହେଁ, ରାଜ୍ୟ ସରକାର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ‘ଅନ୍ନପୂର୍ଣ୍ଣା ଯୋଜନା’ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ ମହିଳାମାନଙ୍କୁ ପ୍ରତିମାସ ୩,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ। ମେ’ ୨୭ ତାରିଖରୁ ଏହାର ଆବେଦନ ପତ୍ର ବଣ୍ଟନ ଆରମ୍ଭ ହେବ।
ଏହାସହ ରାଜ୍ୟ ସରକାର ମଦ ଦୋକାନ ନିୟନ୍ତ୍ରଣକୁ ନେଇ ମଧ୍ୟ କଡ଼ା ନିଷ୍ପତ୍ତି ନେଇଛନ୍ତି। ନୂଆ ନିୟମ ଅନୁସାରେ ସ୍କୁଲ, କଲେଜ ଏବଂ ଧାର୍ମିକ ସ୍ଥାନର ଏକ କିଲୋମିଟର ପରିସର ଭିତରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ।
ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ସଂସ୍କାର ଆଣିବା ଲକ୍ଷ୍ୟରେ ଆୟୁଷ ବିଭାଗକୁ ସ୍ୱାସ୍ଥ୍ୟ ବିଭାଗଠାରୁ ପୃଥକ କରି ଏକ ସ୍ୱତନ୍ତ୍ର ବିଭାଗ ଗଠନ କରାଯିବା ନେଇ ମଧ୍ୟ ଘୋଷଣା ହୋଇଛି।