କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରଠାରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଛାତିରେ ଛନକା ପଶିଛି । ରାଜନୀତି ପ୍ରତିଶ୍ରୁତି ପରେ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ କ୍ଷଣି ଏବେ ସ୍ୱଦେଶ ମୁହାଁ ବାଂଲାଦେଶୀ ନାଗରିକ । ଭାରତ-ବାଂଲାଦେଶ ସୀମା ନିକଟରେ ଶହ ଶହ ସଂଖ୍ୟାରେ ବାଂଲାଦେଶୀ ଏକାଠି ହେଉଥିବାରୁ ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଖୋଦ୍ ବିଜେପି ସୋସିଆଲ ମିଡ଼ିଆରେ ସେୟାର କରିଛି ।
ଉତ୍ତର ୨୪ ପରଗନା ୱଶୀରହାଟ ସବଡିଭିଜନସ୍ଥିତ ହାକିମପୁର ଚେକ୍ ପଏଣ୍ଟରେ ମଙ୍ଗଳବାର ସକାଳେ ୧୦୦ରୁ ଅଧିକ ବାଂଲାଦେଶୀ ଏକାଠି ହୋଇଛନ୍ତି । ସେଥିରେ ପୁରୁଷ, ମହିଳା ଏବଂ ଛୋଟ ପିଲା ରହିଛନ୍ତି । ସମସ୍ତେ ନିଜ ଦେଶକୁ ଫେରିଯିବାକୁ ଚାହୁଁଛନ୍ତି । ବିଜେପି କହିଛି ଯେ ଏସ୍ଆଇଆର୍ ସମୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।
ଏମାନେ ବେଆଇନଭାବେ ସୀମା ଅତିକ୍ରମ କରି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରହୁଥିଲେ । ତେବେ ନିକଟରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସମସ୍ତ ଜିଲ୍ଲାରେ ହୋଲ୍ଡିଂ ସେଣ୍ଟର୍ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ ବିଦେଶୀ ନାଗରିକଙ୍କୁ ରଖାଯିବ । ସଠିକ୍ ପ୍ରମାଣପତ୍ର ଓ ପରିଚୟ ପତ୍ର ଦେଖାଇଲେ ସେମାନଙ୍କୁ ସ୍ୱଦେଶ ପଠାଯିବ ବୋଲି ସରକାର କଡ଼ା ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁମାନେ ନାଗରିକ ସଂଶୋଧନ ଅଧିନିୟମରୁ ବାହାରେ ରହିଛନ୍ତି ସେମାନଙ୍କୁ ଅବୈଧ ଘୋଷଣା କରାଯିବ ।