କେନ୍ଦୁଝର: ଦୁର୍ନୀତି କରି ଶେଷରେ ଧରାପଡ଼ିଲେ ସରକାରୀ କର୍ମଚାରୀ। ସରକାରୀ ସମ୍ପତ୍ତି ଓ ଅର୍ଥକୁ ହଡ଼ପ କରିବା ମାମଲାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପୂର୍ବତନ ଡେଭେଲପମେଣ୍ଟ କ୍ଲାର୍କ-କମ୍-ଷ୍ଟୋର ଇନ୍ଚାର୍ଜ ଶରତ ଚନ୍ଦ୍ର ନନ୍ଦଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ।
ମଙ୍ଗଳବାର କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଏହି ବହୁ ଚର୍ଚ୍ଚିତ ମାମଲାର ରାୟ ଶୁଣାଇ ଶରତ ଚନ୍ଦ୍ର ନନ୍ଦଙ୍କୁ ୨ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି।
ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଥିଲା ଯେ, ୨୦୦୪ରୁ ୨୦୦୬ ମଧ୍ୟରେ ଚମ୍ପୁଆ ବ୍ଲକରେ ଷ୍ଟୋର ଇନ୍ଚାର୍ଜ ଭାବେ କାର୍ଯ୍ୟରତ ଥିବା ସମୟରେ ଶରତ ଚନ୍ଦ୍ର ନନ୍ଦ ସିମେଣ୍ଟ ଷ୍ଟକ୍ ଏବଂ ବଣ୍ଟନ ରେଜିଷ୍ଟରରେ ଜାଲିଆତି କରିଥିଲେ। ସରକାରୀ କାମ ପାଇଁ ଥିବା ସିମେଣ୍ଟ ଓ ସମ୍ପତ୍ତିକୁ ଅନିୟମିତ ଭାବେ ବ୍ୟବହାର କରି ନିଜ ସ୍ୱାର୍ଥ ହାସଲ କରିଥିବା ଅଭିଯୋଗ ପ୍ରମାଣିତ ହୋଇଥିଲା।
ରେକର୍ଡ ଯାଞ୍ଚ ବେଳେ ଷ୍ଟକ୍ ରେଜିଷ୍ଟର ଓ ଆର୍ଥିକ କାରବାରରେ ବ୍ୟାପକ ଅନିୟମିତତା ଧରାପଡ଼ିବା ପରେ ଭିଜିଲାନ୍ସ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିଥିଲା। ଦୀର୍ଘ ଶୁଣାଣି ପରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ରାୟ ପରେ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଶରତ ଚନ୍ଦ୍ର ନନ୍ଦଙ୍କ ପେନସନ ସୁବିଧା ବନ୍ଦ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯିବ।ଏହି ରାୟ କେବଳ ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ସରକାରୀ ଅର୍ଥ ଓ ସମ୍ପତ୍ତିର ଅପବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ କଡ଼ା ସନ୍ଦେଶ ବୋଲି ମନେ କରାଯାଉଛି। ଭିଜିଲାନ୍ସର ଏହି ସଫଳତା ଦୁର୍ନୀତି ବିରୋଧୀ ଅଭିଯାନକୁ ଆହୁରି ଶକ୍ତିଶାଳୀ କରିଛି।