ଝାରସୁଗୁଡା ଜିଲ୍ଲାରେ ଚାଲିଥିବା ଏକ ବଡ଼ ଅନଲାଇନ IPL ବେଟିଂ ରାକେଟ୍ର ପର୍ଦ୍ଦାଫାସ କରିଛି ବ୍ରଜରାଜନଗର ପୋଲିସ। ଭଡାଘରକୁ ବେଟିଂର ଆଡ୍ଡା କରି ଲାଇଭ୍ IPL ମ୍ୟାଚ୍ରେ ଲକ୍ଷ ଲକ୍ଷ ଟଙ୍କାର ବେଟିଂ ଚାଲୁଥିବା ବେଳେ ପୋଲିସ ଅତର୍କିତ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ବ୍ରଜରାଜନଗରର ଗାନ୍ଧୀଛକ ଓ ରାମପୁର ଅଞ୍ଚଳର ଦୁଇଟି ଭଡାଘରରେ ଅନଲାଇନ ମାଧ୍ୟମରେ IPL ବେଟିଂ କାରବାର ଚାଲୁଥିଲା। ଖବର ପାଇବା ପରେ ବ୍ରଜରାଜନଗର ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ୍ ଏକାସାଙ୍ଗରେ ଚଢ଼ାଉ କରିଥିଲେ। ସେତେବେଳେ ଲାଇଭ୍ ମ୍ୟାଚ୍ ଚାଲିଥିବା ସହ ବେଟିଂ ମଧ୍ୟ ଜୋରଦାର ଭାବେ ଚାଲୁଥିଲା।
ଚଢ଼ାଉ ସମୟରେ ପୋଲିସ ୫ ଲକ୍ଷ ୯ ହଜାର ୧୦୦ ଟଙ୍କା ନଗଦ ଜବତ କରିଥିବା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୩ ଲକ୍ଷ ୭୦ ହଜାର ଟଙ୍କାକୁ ଫ୍ରିଜ୍ କରିଛି। ଏହାସହ ୨ଟି ଲ୍ୟାପଟପ୍, ୪୧ଟି ମୋବାଇଲ ଫୋନ୍, ଗୋଟିଏ ଇନୋଭା କ୍ରିଷ୍ଟା ଓ ଗୋଟିଏ ମାରୁତି ବୋଲେନୋ କାର୍ ମଧ୍ୟ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ରାହୁଲ ସାହୁଙ୍କୁ ମୁଖ୍ୟ ବୁକି ଭାବେ ଚିହ୍ନଟ କରାଯାଇଛି। ଏହାଛଡ଼ା ଗୋବିନ୍ଦ ଦାସ ମହନ୍ତ, ଆକାଶ ଶ୍ରୀବାସ୍ତବ, ବିଶାଲ କୁମାର ରବି, ଭୀମ କୁମାର ରାମ, ମନୁ ସିଂ, ଶଙ୍କର ପ୍ରସାଦ ରାମ ଓ ରାଜୀବ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ କ୍ରିକେଟ୍ ଲାଇଭ୍ ଆପ୍ର ଦୁର୍ବ୍ୟବହାର କରି ଲୋକଙ୍କୁ ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାରର ଲୋଭ ଦେଖାଇ ବେଟିଂ ଜାଲରେ ଫସାଉଥିଲେ। ତେବେ ଏହି ରାକେଟ୍ର ପ୍ରକୃତ ମାଷ୍ଟରମାଇଣ୍ଡ କିଏ, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜୋରଦାର କରିଛି।
ଝାରସୁଗୁଡା ଏସପି ଜି. ରାଘବେନ୍ଦ୍ର ରେଡ୍ଡୀ କହିଛନ୍ତି, ଖୁବ୍ ଶୀଘ୍ର ଏହି ବେଟିଂ ଚକ୍ରର ମାଷ୍ଟରମାଇଣ୍ଡକୁ ଗିରଫ କରାଯିବ। ଏହି ଘଟଣା ପରେ ଅଞ୍ଚଳରେ ବେଆଇନ ବେଟିଂ କାରବାରକୁ ନେଇ ଚର୍ଚ୍ଚା ଜୋର ଧରିଛି।