କୋରାପୁଟ ସଦଭାବନା ସଭାଗୃହରେ ଚାଲିଥିବା ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ସୋମବାର ଏକ ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା। ହାତରେ ଆବେଦନ ପତ୍ର, ଆଖିରେ ଅଶ୍ରୁ ଆଉ କଣ୍ଠରେ ଅସହାୟତାର ସ୍ୱର। ଜିଲ୍ଲାପାଳଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦୁଥିଲେ ସଙ୍ଗୀତା କୁମାରୀ ମୁଦୁଲି। ତାଙ୍କର ଗୋଟିଏ ମାତ୍ର ଅନୁରୋଧ ଥିଲା “ମୋତେ ଚାକିରି ଫେରାଇ ଦିଅନ୍ତୁ, ମୁଁ କେମିତି ବଞ୍ଚିବି?”
ସଙ୍ଗୀତାଙ୍କ ଅଭିଯୋଗ ଅନୁସାରେ, ସେ କୋରାପୁଟର ମାନସ ବିଦ୍ୟାଳୟରେ ଦୀର୍ଘ ୧୨ ବର୍ଷ ଧରି ପିଅନ ଓ କେୟାର ଟେକର ଭାବେ କାମ କରୁଥିଲେ। ମାସିକ ମାତ୍ର ୨୫୦୦ ଟଙ୍କା ଦରମାରେ ସେ ନିଜ ଜୀବନ ଚଳାଉଥିଲେ। କିନ୍ତୁ ସମ୍ପ୍ରତି ନିୟମିତ କର୍ମଚାରୀ ନିଯୁକ୍ତି ପାଇବା ପରେ ତାଙ୍କୁ କାମରୁ ବାହାର କରିଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।
ନିଜକୁ ଅନାଥ ବୋଲି ପରିଚୟ ଦେଇ ସଙ୍ଗୀତା କହିଛନ୍ତି ଯେ, ଏହି ଚାକିରି ହିଁ ତାଙ୍କ ଜୀବନର ଏକମାତ୍ର ଭରସା ଥିଲା। ଚାକିରି ହରାଇବା ପରେ ଏବେ ତାଙ୍କ ସମ୍ମୁଖରେ ଜୀବନ ଜୀବିକାର ଗଭୀର ସଙ୍କଟ ଦେଖାଦେଇଛି। ବକେୟା ଦରମା ପ୍ରଦାନ ଓ ପୁନଃ ନିଯୁକ୍ତି ଦାବିରେ ସେ ଡିଏସଏସଓ କାର୍ଯ୍ୟାଳୟକୁ ବାରମ୍ବାର ଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବା କହିଛନ୍ତି।
ଅଭିଯୋଗ ଶୁଣାଣି ଶିବିରରେ କାନ୍ଦି କାନ୍ଦି ସେ ନ୍ୟାୟ ପାଇଁ ଗୁହାରି କରିଥିଲେ। ତାଙ୍କ ଆଖିର ଲୁହ ଓ ଅସହାୟତା ସେଠାରେ ଉପସ୍ଥିତ ସମସ୍ତଙ୍କୁ ବିଚଳିତ କରିଥିଲା।
ଘଟଣାକୁ ଗୁରୁତ୍ୱର ସହ ନେଇ କୋରାପୁଟ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ କରି ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି ୧୨ ବର୍ଷର ସେବା ପରେ ଚାକିରି ହରାଇଥିବା ଏହି ଅସହାୟ ଯୁବତୀଙ୍କୁ କେବେ ମିଳିବ ନ୍ୟାୟ? ସଙ୍ଗୀତାଙ୍କ ଆଖିର ଲୁହ କେବେ ଶୁଖିବ? ସମସ୍ତଙ୍କ ନଜର ଏବେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।