ନୂଆଦିଲ୍ଲୀ: ଭାରତର ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ହେଭିୱେଟ୍ ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀମାନେ ଯୋଗଦେଇ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ବିଶେଷ କରି ସାମୁଦ୍ରିକ ସହଯୋଗ, ଶକ୍ତି ଯୋଗାଣ ଏବଂ ଆଞ୍ଚଳିକ ସ୍ଥିରତାକୁ ନେଇ ଏହି ବୈଠକରେ ୩ଟି ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହା ଚୀନର ନିଦ ହଜାଇବା ପାଇଁ ଯଥେଷ୍ଟ ବୋଲି କୁହାଯାଉଛି।
ଏହି ବୈଠକରେ ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର, ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ, ଜାପାନ ବିଦେଶ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ଏବଂ ଅଷ୍ଟ୍ରେଲିଆର ବିଦେଶ ମନ୍ତ୍ରୀ ପେନି ୱଙ୍ଗ୍ ସାମିଲ ହୋଇଥିଲେ। ବୈଠକ ପରେ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଗ୍ରହଣ କରାଯାଇଥିବା ୩ଟି ପ୍ରମୁଖ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।
କ୍ୱାଡ୍ ବୈଠକର ୩ଟି ବଡ଼ ନିଷ୍ପତ୍ତି
୧. ଇଣ୍ଡୋ-ପ୍ୟାସିଫିକରେ ଜଳପଥ ଉପରେ କଡ଼ା ନଜର
ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ଦାଦାଗିରିକୁ ରୋକିବା ପାଇଁ ଚାରି ଦେଶ ସେମାନଙ୍କର ସାମୁଦ୍ରିକ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବେ। ଏଣିକି ସମୁଦ୍ର ମଧ୍ୟରେ ହେଉଥିବା ପ୍ରତିଟି ଗତିବିଧିର 'ରିୟଲ୍ ଟାଇମ୍' ତଥ୍ୟ କ୍ୱାଡ୍ ସଦସ୍ୟମାନେ ପରସ୍ପର ସହ ସେୟାର କରିବେ। ଏହାଦ୍ୱାରା ସାମୁଦ୍ରିକ ସୁରକ୍ଷା ବଳୟ ଅଭେଦ୍ୟ ହେବ।
୨. ଫିଜି ସହ ମିଳିତ ଭିତ୍ତିଭୂମି ପ୍ରକଳ୍ପ
କ୍ୱାଡ୍ ପକ୍ଷରୁ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜରେ ଥିବା 'ଫିଜି'ର ବନ୍ଦର ଭିତ୍ତିଭୂମିର ଆଧୁନିକୀକରଣ କରାଯିବ। କ୍ୱାଡ୍ ସଂଗଠନର ଏହା ପ୍ରଥମ ମିଳିତ ଆଞ୍ଚଳିକ ଭିତ୍ତିଭୂମି ପ୍ରକଳ୍ପ ହେବାକୁ ଯାଉଛି। ରଣନୀତିକ ଦୃଷ୍ଟିକୋଣରୁ ଫିଜିର ଅବସ୍ଥିତି ଅତି ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଏସିଆ ମଧ୍ୟରେ ଥିବା ପ୍ରମୁଖ ସାମୁଦ୍ରିକ ବାଣିଜ୍ୟ ପଥ ମଝିରେ ରହିଛି।
୩. ଶକ୍ତି ସୁରକ୍ଷା ପାଇଁ ସ୍ୱତନ୍ତ୍ର ସଂଗଠନ
ଇଣ୍ଡୋ-ପ୍ୟାସିଫିକ୍ କ୍ଷେତ୍ରରେ ଇନ୍ଧନ ଓ ଶକ୍ତି ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ନୂଆ ପ୍ରୟାସ ଆରମ୍ଭ ହୋଇଛି। କୌଣସି ଜରୁରୀକାଳୀନ ସ୍ଥିତିରେ ଯେପରି ଶକ୍ତି ସଙ୍କଟ ନଉପୁଜେ, ସେଥିପାଇଁ ଆମେରିକା ଚଳିତ ବର୍ଷ 'କ୍ୱାଡ୍ ଫ୍ୟୁଏଲ୍ ସେକ୍ୟୁରିଟି ଫୋରମ୍'ର ଆୟୋଜନ କରିବ। ଏହି ବୈଠକରେ ଶକ୍ତି ସହ ସାର ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ସହଜ ଯୋଗାଣ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି।
ଏହା ଚୀନର ଚିନ୍ତା କେମିତି ବଢ଼ାଇବ?
ଏହି ନିଷ୍ପତ୍ତିଗୁଡ଼ିକ ସିଧାସଳଖ ବେଜିଂ (ଚୀନ) ପାଇଁ ଏକ ବଡ଼ ଚେତାବନୀ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଦକ୍ଷିଣ ଚୀନ ସାଗରରେ ବେଜିଂ କ୍ରମାଗତ ଭାବେ ନିଜର ସାମରିକ ଶକ୍ତି ବଢ଼ାଇବା ସହ ଅନେକ ଆନ୍ତର୍ଜାତୀୟ ଜଳପଥ ଉପରେ ନିଜର ଦାବି ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି।
କ୍ୱାଡ୍ ଦେଶଗୁଡ଼ିକର ଅଭିଯୋଗ ଯେ, ଚୀନ ସମୁଦ୍ରରେ ନିଜର ଏକଛତ୍ରବାଦୀ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି। ଅପରପକ୍ଷରେ ଚୀନ ଏହାକୁ ନିଜର ସାର୍ବଭୌମତ୍ୱ ରକ୍ଷା ବୋଲି କହୁଥିଲେ ମଧ୍ୟ, କ୍ୱାଡ୍ର ନୂଆ ରଣନୀତି ଚୀନ ପାଇଁ ଆଦୌ ଶୁଭଙ୍କର ନୁହେଁ। ଚୀନ ସର୍ବଦା କ୍ୱାଡ୍କୁ ତା'ର ଅଭିବୃଦ୍ଧି ରୋକିବା ପାଇଁ ଗଠିତ ଏକ ଗୋଷ୍ଠୀ ବୋଲି କହି ବିରୋଧ କରିଆସିଛି।