ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ପରମାଣୁ ଚୁକ୍ତିର ମଧ୍ୟସ୍ଥି ସାଜିବାକୁ ଚେଷ୍ଟା କରୁଥିବା ପାକିସ୍ତାନକୁ ଏକ ଶକ୍ତ ଧକ୍କା ଲାଗିଛି । ଦୁଇ ଦେଶ ମଧ୍ୟରେ ଚୂଡ଼ାନ୍ତ ଚୁକ୍ତିର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ କତାରର ରାଜଧାନୀ ଦୋହାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଭାଗ ନେବା ପାଇଁ ଇରାନର ଆଲୋଚନା କମିଟି ପ୍ରମୁଖ ଏମ.ବି. ଗାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚି ସୋମବାର ଦୋହା ପହଞ୍ଚିଛନ୍ତି ।
ଏହା ପୂର୍ବରୁ ପାକିସ୍ତାନ ଆଶା ରଖିଥିଲା ଯେ ଏହି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀୟ ବୈଠକ ଇସଲାମାବାଦରେ ଅନୁଷ୍ଠିତ ହେବ । ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଇସଲାମାବାଦରେ 'ପିସ୍ ଟକ୍-୨' (ଶାନ୍ତି ଆଲୋଚନା) ଆୟୋଜନ କରିବା ନେଇ ବଡ଼ ବଡ଼ ଦାବି ମଧ୍ୟ କରିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ବୈଠକ ପାଇଁ କତାରକୁ ବଛାଯିବା ପାକିସ୍ତାନର କୂଟନୈତିକ ରଣନୀତିକୁ ସମ୍ପୂର୍ଣ୍ଣ ଭାବେ ଫେଲ୍ କରିଦେଇଛି ।
ହର୍ମୁଜ ଓ ୟୁରେନିୟମ ପ୍ରସଙ୍ଗରେ ହେବ ଆଲୋଚନା
ଆମେରିକୀୟ ଗଣମାଧ୍ୟମ ସିଏନଏନର ସୂତ୍ର ଅନୁଯାୟୀ, ଗାଲିବାଫ୍ ଏବଂ ଅରାଘଚି କତାରରେ ବିଶ୍ୱ ବାଣିଜ୍ୟର ପ୍ରମୁଖ ମାର୍ଗ ହୋର୍ମୁଜ ଜଳଡମରୁମଧ୍ୟକୁ ମୁକ୍ତ କରିବା ଏବଂ ଏହା ସହ ଜଡ଼ିତ ୟୁରେନିୟମର ସୀମା ନିର୍ଦ୍ଧାରଣ ଉପରେ ଚୂଡ଼ାନ୍ତ ଆଲୋଚନା କରିବେ । ଉଭୟ ନେତାଙ୍କ ସହ ଇରାନ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ଦୋହା ଗସ୍ତ କରିଛନ୍ତି, ଯାହା ଆର୍ଥିକ ପ୍ରତିବନ୍ଧକ ହଟାଇବା ପ୍ରକ୍ରିୟାକୁ ସୂଚାଉଛି । ଆଶା କରାଯାଉଛି ଯେ, ଯେଉଁ ଯୁଦ୍ଧ ବିରତି ଏବଂ ପରମାଣୁ ଚୁକ୍ତିର ଚୂଡ଼ାନ୍ତ ରୂପରେଖ ଇସଲାମାବାଦରେ ପ୍ରସ୍ତୁତ ହେବାର ଥିଲା, ତାହା ଏବେ ଦୋହାରେ ଶେଷ ରୂପ ନେବ ।
ଅନ୍ତିମ ଡ୍ରାଫ୍ଟ ପ୍ରସ୍ତୁତିରେ ବ୍ୟସ୍ତ ଆମେରିକା ଓ ଇରାନ
ଇରାନ ଏବଂ ଆମେରିକା ମଧ୍ୟରେ ଏହି ପରମାଣୁ ଚୁକ୍ତିକୁ ନେଇ ଏକ ସାଧାରଣ ସହମତି ପ୍ରକାଶ ପାଇଛି । ଏହା ପରେ ଉଭୟ ଦେଶ ଅତିଶୀଘ୍ର ଫାଇନାଲ୍ ଡ୍ରାଫ୍ଟ ଶେଷ କରିବାକୁ ଉଦ୍ୟମ ଚଳାଇଛନ୍ତି, ଯଦ୍ଵାରା ଏକ ଅନ୍ତରୀଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରିବ । ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘେଇ କହିଛନ୍ତି ଯେ ନୀତିଗତ ଭାବେ ସହମତି ହୋଇସାରିଛି, କିନ୍ତୁ ଏହା କେବେଠାରୁ ଲାଗୁ ହେବ ତାହା ଏବେ ସ୍ପଷ୍ଟ ହୋଇନାହିଁ । ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସୂଚନା ଦେଇଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଆଲୋଚନା ବେଶ୍ ସକାରାତ୍ମକ ଦିଗରେ ଆଗେଇଛି ।
ଇସ୍ରାଏଲ୍କୁ ରଖାଗଲା ଦୂରରେ, ଚିନ୍ତାରେ ନେତାନ୍ୟାହୁ
ସୂତ୍ର ଅନୁସାରେ, ରାଷ୍ଟ୍ରପତି ଟ୍ରମ୍ପ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ପ୍ରକ୍ରିୟାରୁ ନିଜର ପରମ ବନ୍ଧୁ ଇସ୍ରାଏଲ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଆପତ୍ତିକୁ ଗ୍ରହଣ କରିନାହାନ୍ତି । ଚୁକ୍ତିନାମା ସଫଳ ହେବାକୁ ଯାଉଥିବା ଦେଖି ନେତାନ୍ୟାହୁ ବେଶ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆନ୍ତର୍ଜାତୀୟ ଚାପ ଏବଂ ଅର୍ଥନୈତିକ ସ୍ଥିତି କାରଣରୁ ଟ୍ରମ୍ପ ପ୍ରଶାସନ ଇରାନ ସହ ଚୁକ୍ତି କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି ।