ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଧାନ ସଂଗ୍ରହ (୨୦୨୫-୨୬) ପ୍ରକ୍ରିୟାକୁ ସ୍ୱଚ୍ଛ, ଶୃଙ୍ଖଳିତ ଏବଂ ଦଲାଲମୁକ୍ତ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଉଚ୍ଚସ୍ତରୀୟ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଧାନ ସଂଗ୍ରହ ସମୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସ୍ପଷ୍ଟ କରିଛନ୍ତି। ଚାଷୀମାନେ ଯେପରି ସେମାନଙ୍କର ହକ୍ରୁ ବଞ୍ଚିତ ନହେବେ ଏବଂ ମଣ୍ଡିରେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ, ସେଥିପାଇଁ ପ୍ରଶାସନ ପକ୍ଷରୁ କେତେକ କଡ଼ା ନିୟମ ଲାଗୁ କରାଯାଉଛି।
ବୈଠକର ମୁଖ୍ୟ ନିଷ୍ପତ୍ତି
ଧାନ ବିକ୍ରି ସମୟରେ କୌଣସି ପ୍ରକାରର ଜାଲିଆତି କିମ୍ବା ବେଆଇନ କାରବାରକୁ ରୋକିବା ପାଇଁ ଚାଷୀମାନଙ୍କର ଆଖିର ସ୍କାନିଂ ବା ଆଇରିସ୍ ଯାଞ୍ଚକୁ ବାଧ୍ୟତାମୂଳକ କରାଯିବ। ପଡ଼ୋଶୀ ରାଜ୍ୟରୁ ବେଆଇନ ଧାନ ଓଡ଼ିଶା ମଣ୍ଡିକୁ ଆସିବା ଉପରେ ରୋକ ଲଗାଇବା ପାଇଁ ସୀମାନ୍ତ ଅଞ୍ଚଳଗୁଡ଼ିକୁ ସମ୍ପୂର୍ଣ୍ଣ ସିଲ୍ କରାଯିବ ଏବଂ କଡ଼ା ନଜର ରଖାଯିବ। ମଣ୍ଡିରେ ଚାଷୀମାନେ ସାମ୍ନା କରୁଥିବା ଯେକୌଣସି ସମସ୍ୟାର ସମାଧାନ ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉପ-ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ
ଧାନ ସଂଗ୍ରହ ବେଳେ ଚାଷୀଙ୍କୁ ହଇରାଣ କଲେ କିମ୍ବା ମଣ୍ଡିରେ ମିଲର ସିଣ୍ଡିକେଟ୍ ବା ଦଲାଲି ଚଳାଇଲେ ସମ୍ପୃକ୍ତ ଅଧିକାରୀ ଓ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଠକରେ ମିଲରମାନଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ 'କଟନୀ-ଛଟନୀ' ଭଳି ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଛି।
ପ୍ରକୃତ ଚାଷୀ ଯେପରି ସରକାରଙ୍କ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ପାଇପାରିବେ, ତାହା ନିଶ୍ଚିତ କରିବାକୁ ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ସଚିବମାନେ ଉପସ୍ଥିତ ଥିଲେ।