କଟକ: ଝିଅ ଜନ୍ମ କରିବାରୁ ପୁଅ ଓ ବୋହୂଙ୍କୁ ମାଡ଼ ମାରିବା ଘଟଣାରେ ମାହାଙ୍ଗା ପୋଲିସ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବାପା ସାମୂଲ୍ୟ ଜେନାଙ୍କ ପୋଲିସ ଗିରଫ କରିଛି ।
କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମର ଚନ୍ଦ୍ରଶେଖର ଜେନା ଏବଂ ପାର୍ବତୀ ଜେନାଙ୍କର ମାସେ ତଳେ ଦୁଇଟି ଯାଆଁଳା ଶିଶୁ କନ୍ୟା ହୋଇଥିଲା । ତେଣୁ ଶାଶୁ, ଶ୍ୱଶୁର ଏବଂ ନଣନ୍ଦ ଖୁସି ନ ଥିଲେ । ଦୁଇ ଦିନ ତଳେ ଶ୍ୱଶୁର ସାମୂଲ୍ୟ ଜେନା ପାର୍ବତୀଙ୍କୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାରିଥିଲେ । ପୁଅ ଚନ୍ଦ୍ରଶେଖର ବଞ୍ଚାଇବାକୁ ଆସିବାରୁ ସିଏ ମଧ୍ୟ ମାଡ଼ ଖାଇଥିଲେ । ତେବେ ପୂର୍ବରୁ ପାର୍ବତୀଙ୍କୁ ଯୌତୁକ ପାଇଁ ମଧ୍ୟ ଅନେକ ସମୟରେ ନିର୍ଯ୍ୟାତନା ଦିଆଯାଉଥିବା ସେ ଅଭିଯୋଗ କରିଥିଲେ । ଏନେଇ ପାର୍ବତୀ ଓ ଚନ୍ଦ୍ରଶେଖର ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ମାହାଙ୍ଗା ପୋଲିସ ସାମୂଲ୍ୟଙ୍କୁ ଗିରଫ କରିଛି ।