ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେଣୁ ମଧ୍ୟାହ୍ନ ୧୨ଟାରୁ ଦିନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ କାର୍ଯ୍ୟ ସ୍ଥଗିତ ରହିବ । ପ୍ରବଳ ଖରା ଏବଂ ଗରମକୁ ଦୃଷ୍ଟିରେ ରଖି ରାଜ୍ୟ ଅତିରିକ୍ତ ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ମିଶ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଅତିରିକ୍ତ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲାପାଳ, ମେୟର ଏବଂ ଇଆରଓମାନଙ୍କୁ ଚିଠି ଲେଖିଛନ୍ତି । ମେ ରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ ଏସ୍ଆଇଆର୍ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଘରୁ ଘର ପରିଦର୍ଶନ, ନାମଲେଖା ଶିବିର, ଦାବି ଏବଂ ଅଭିଯୋଗ ଦାଖଲ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ପର୍ଯ୍ୟନ୍ତ ଭୋଟର ସୁବିଧା ସେବା ଭଳି ବ୍ୟାପକ କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ରହିଛି । କିନ୍ତ ମେ, ଜୁନ୍ ଏବଂ ଜୁଲାଇ ମାସରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନୀ ରହିଛି । ଯାହାକି ଏସ୍ଆଇଆର୍ ରେ ନିଯୁକ୍ତି ଅଧିକାରୀ ଏବଂ ମତଦାତାଙ୍କ ପାଇଁ ପାଇଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏସ୍ଆଇଆର୍ ପାଇଁ ସ୍ୱତନ୍ତ୍ର ସମୟ ନିର୍ଦ୍ଧାରଣ କରାଯାଇଛି । ସମସ୍ତ ଅଧିକାରୀଙ୍କୁ ନିର୍ବାଚନ ଅଧିକାରୀଙ୍କ ସମସ୍ତ ନିର୍ଦ୍ଦେଶାବଳୀ କଡ଼ାକଡ଼ିଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।
-
କୌଣସି ଅଧିକାରୀ ଦିନ ୧୨ରୁ ୩ଟା ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ ବା ଦ୍ୱାରକୁ ଦ୍ୱାର ବୁଲିବେ ନାହିଁ ।
-
ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏ କାର୍ଯ୍ୟକରିବେ ।
-
ସ୍ଥାନୀୟ ପାଣିପାଗକୁ ଦେଖି ଜିଲ୍ଲା ଶିକ୍ଷାଧିକାରୀ ଏବଂ ଇଆରଓମାନେ ସମୟ ବଦଳାଇ ପାରିବେ ।
-
ସମସ୍ତ ବିଏଲ୍ଓ, ବିଏଲ୍ଓ ସୁପରଭାଇଜର, ଏଇଆରଓ ଏବଂ ଅନ୍ୟ ଅଧିକାରୀମାନେ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବେ ।
-
ପ୍ରଚୁର ପରିମାଣରେ ପାଣି ପିଇବା ସହିତ, ଓଆରଏସ୍ ଓ ଇଲୋକ୍ଟ୍ରୋରାଲ୍ ପାଖରେ ରଖିବେ ।
-
ସୂତା, ପତଳା ଏବଂ ହାଲୁକା ରଙ୍ଗର କପଡ଼ା ପିନ୍ଧିବେ ।
-
କ୍ଷେତ୍ର ପରିଦର୍ଶନ ସମୟରେ ଟୋପି, ହ୍ୟାଟ୍ ଓ ଛତା ବ୍ୟବହାର କରିବା ବାଧ୍ୟତା ମୂଳକ ।
-
କୌଣସି ଅଧିକାରୀ ସିଧାସଳକ ଖରାକୁ ଯିବେ ନାହିଁ ।
-
ଏମର୍ଜେନ୍ସି ପାଇଁ ସବୁବେଳେ ନିଜ ପାଖରେ ମୋବାଇଲ୍ ରଖିବେ ।
-
ଶରୀରରେ କୌଣସି ଅସୁବିଧା ଦେଖାଗଲେ ବିଶ୍ରାମ ନେବେ ।
-
ପଞ୍ଜିକରଣ ଶିବିରରେ ଉପଯୁକ୍ତ ବସିବା ସ୍ଥାନ ରଖିବା ସହିତ ଛାଇ ପାଇଁ ମଧ୍ୟ ବ୍ୟବସ୍ଥା କରିବେ ।