ରାୟଗଡ଼ାର ବହୁଚର୍ଚ୍ଚିତ ନିଖିଲ ହାଡ଼ପା ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣାରେ ଫେରାର ଥିବା ଆଉ ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ। ଏହା ସହ ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି।
ଗତ ମେ ୯ ତାରିଖରେ ରାୟଗଡ଼ା ସହରର ଇନ୍ଦିରା କଲୋନୀରେ ଦିନଦ୍ୱିପ୍ରହରରେ ନିଖିଲ ହାଡ଼ପାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଘଟଣା ପରଠାରୁ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଅଭିଯାନ ଚାଲିଥିଲା।
ପୂର୍ବରୁ ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଏବେ ଫେରାର ଥିବା ୪ ଜଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ପୋଲିସ ଜାଲରେ ପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଚିଣ୍ଟୁ ଓରଫ ଦେବାଶିଷ ବିଭୋର, ପବନ କାଲ୍ପା, ସାଗର କାଲ୍ପା ଓ ଅଜୟ ଦେବରାପଲ୍ଲୀ।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତମାନେ ଘଟଣା ପରେ ରାଜ୍ୟ ଛାଡ଼ି ବିଭିନ୍ନ ସ୍ଥାନରେ ଲୁଚି ରହିଥିଲେ। ରାୟଗଡ଼ା ପୋଲିସର ସ୍ୱତନ୍ତ୍ର ଟିମ୍ ବିଶାଖାପଟ୍ଟଣମରୁ ଆରମ୍ଭ କରି ଗୋଆ ଓ କର୍ଣ୍ଣାଟକର ହୁବଲ୍ଲୀ ପର୍ଯ୍ୟନ୍ତ ପିଛା କରି ତିନି ଜଣଙ୍କୁ ଗିରଫ କରିଥିଲା। ଅନ୍ୟପକ୍ଷରେ ଅଜୟ ଦେବରାପଲ୍ଲୀଙ୍କୁ ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାରୁ ଧରାଯାଇଛି।
ଦେଶର ବିଭିନ୍ନ ସ୍ଥାନକୁ ଫେରାର ହୋଇଥିବା ଅଭିଯୁକ୍ତମାନଙ୍କୁ ଟ୍ରାକ୍ କରିବା ପାଇଁ ପୋଲିସ ଏକାଧିକ ସ୍ପେଶାଲ୍ ଟିମ୍ ଗଠନ କରିଥିଲା। ଦୀର୍ଘ ଅପରେସନ୍ ପରେ ଏହି ସଫଳତା ମିଳିଥିବାରୁ ପୋଲିସର କାର୍ଯ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ମାମଲାରେ ଆହୁରି ତଦନ୍ତ ଜାରି ରହିଛି ଏବଂ ଘଟଣା ପଛରେ ଥିବା ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବାକୁ ପୋଲିସ ପ୍ରୟାସ ଜାରି ରଖିଛି।