କଟକ: ରାଜ୍ୟ ରାଜନୀତିରେ ବଡ଼ ହଇଚଇ ସୃଷ୍ଟି ହୋଇଛି । ବିଜୁ ଜନତା ଦଳକୁ ଲାଗିଛି ବଡ଼ ଝଟକା । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡ଼ି ଛାଡ଼ିଛନ୍ତି । ସୋମବାର ସାଂସଦ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।
ଦେବାଶିଷ ବିଜେଡ଼ିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା କହିଛନ୍ତି । ସେ ଇସ୍ତଫାରେ ଦଳ ଏବଂ ସୁପ୍ରିମୋଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ରାଜ୍ୟସଭାକୁ ମନୋନୀତ କରିଥିବାରୁ ସର୍ବଦା ଋଣୀ ରହିବି। ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କ ସେବା କରିବା ଏବଂ ଜାତୀୟ ସ୍ତରରେ ଓଡ଼ିଶାର ସମସ୍ୟା ଉଠାଇବା ପାଇଁ ସୁଯୋଗ ଦେଇଥିବାରୁ ସେ ନବୀନଙ୍କୁ ଆନ୍ତରିକ ଏବଂ ଗଭୀର କୃତଜ୍ଞତା ଜଣାଇଛନ୍ତି ।
ସେ ଆହୁରି ଲେଖିଛନ୍ତି ଯେ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛନ୍ତି ଏବଂ ବର୍ଷ ବର୍ଷ ଧରି ଅତ୍ୟନ୍ତ ଦୃଢ଼ ବିଶ୍ୱାସ ଏବଂ ପ୍ରତିବଦ୍ଧତାର ସହିତ ଦଳ ପାଇଁ କାମ କରିଆସିଛି। ତଥାପି ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅନୁଭବ କରୁଛନ୍ତି । ଦଳ ଆଉ ତାଙ୍କର ଆବଶ୍ୟକତା ଚାହୁଁ ନାହିଁ । ଯେଉଁଥିପାଇଁ ସେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି ।
ଦେବାଶିଷଙ୍କ ଏହି ନିଷ୍ପତ୍ତି ରାଜ୍ୟ ରାଜନୀତିକୁ ଉଷ୍ଣ କରିଦେଇଛି । ତେବେ ସେ ବିଜେପିର ମିଶିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏ ନେଇ ଦେବାଶିଷ କୌଣସି ବିଧିବଦ୍ଧ ଘୋଷଣା କରିନାହାଁନ୍ତି ।