ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା ଅସହ୍ୟ ତାତି ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ସୁରକ୍ଷା ପାଇଁ ପୂର୍ତ୍ତ ବିଭାଗ କଡ଼ା ପଦକ୍ଷେପ ନେଇଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି ଶ୍ରମିକଙ୍କୁ ଖରାରେ କାମରେ ନିୟୋଜିତ ନ କରିବାକୁ ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି। ପୂର୍ତ୍ତ ବିଭାଗର ଇଆଇସି ଏନେଇ ସମସ୍ତ ଜୋନ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ପତ୍ର ଲେଖି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି।
ସରକାରଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ କେତେକ ସ୍ଥାନରେ ନିଷିଦ୍ଧ ସମୟରେ ଶ୍ରମିକମାନଙ୍କୁ କାମ କରାଯାଉଥିବା ଖବର ସରକାରଙ୍କ ନଜରକୁ ଆସିଥିଲା। ଏହାପରେ ବିଭାଗ ପକ୍ଷରୁ ଠିକା ସଂସ୍ଥାଗୁଡ଼ିକୁ ସତର୍କ କରାଯାଇଛି।
କେବଳ କାମ ବନ୍ଦ ନୁହେଁ, ଶ୍ରମିକମାନଙ୍କ ପାଇଁ ବିଶ୍ରାମ ସ୍ଥଳୀ, ପାନୀୟ ଜଳ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ମଧ୍ୟ ନିଶ୍ଚିତ କରିବାକୁ କୁହାଯାଇଛି। ଏହାସହ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ସଜାଗ ରହି ଶ୍ରମିକଙ୍କ ମଧ୍ୟରେ ସଚେତନତା ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ଖରା ମଧ୍ୟରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସୁରକ୍ଷାକୁ ଆଗରେ ରଖି ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।