ଲଣ୍ଡନରେ ଧୁମଧାମରେ ପାଳିତ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଟ୍ରାଫାଲଗାର୍ ସ୍କ୍ୱାରରେ ହଜାର ହଜାର ଭକ୍ତଙ୍କ ସମାଗମ ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ରଥ ଟଣାଯାଇଥିଲା। ହେଲେ ଏହି ଆୟୋଜନ ମଧ୍ୟରେ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ରଥଯାତ୍ରା ଓ ସ୍ନାନଯାତ୍ରାର ତାରିଖକୁ ନେଇ ବିଶ୍ୱ ଜଗନ୍ନାଥ ସମ୍ପ୍ରଦାୟରେ ମତଭେଦ ଦେଖାଦେଇଛି।
ଓଡ଼ିଶା ସୋସାଇଟି ୟୁକେ, ପ୍ରବାସୀ ଓଡ଼ିଆ, ଶ୍ରୀଜଗନ୍ନାଥ ସୋସାଇଟି ୟୁକେ ସମେତ ଅନେକ ଜଗନ୍ନାଥ ଭକ୍ତ ସଂଗଠନ ଇସ୍କନ୍ ଲଣ୍ଡନର ନିଷ୍ପତ୍ତି ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ, ପାରମ୍ପରିକ ତିଥି ଅନୁଯାୟୀ ନୁହେଁ, ବରଂ ଭିନ୍ନ ତାରିଖରେ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରାଯାଇଛି।
ଏନେଇ ଇସ୍କନ୍ କର୍ତ୍ତୃପକ୍ଷଙ୍କୁ ଏକ ଖୋଲା ଚିଠି ଲେଖାଯାଇଛି। ଚିଠିରେ କୁହାଯାଇଛି ଯେ, ରଥଯାତ୍ରା ଓ ସ୍ନାନଯାତ୍ରା କେବଳ ଏକ ପରମ୍ପରା ନୁହେଁ, ବରଂ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଆଦେଶ। ଏହି ଉତ୍ସବଗୁଡ଼ିକୁ ଶାସ୍ତ୍ର ଓ ପ୍ରଚଳିତ ତିଥି ଅନୁଯାୟୀ ପାଳନ କରିବା ଉଚିତ ବୋଲି ଭକ୍ତମାନେ ଦାବି କରିଛନ୍ତି।
ଗତ ୨ ମେରେ ଏହି ପ୍ରସଙ୍ଗରେ ଏକ ସ୍ମାରକପତ୍ର ମଧ୍ୟ ଦିଆଯାଇଥିଲା। ବିଭିନ୍ନ ବିଦ୍ୱାନ, ବରିଷ୍ଠ ଭକ୍ତ ଓ ପ୍ରବାସୀ ଓଡ଼ିଆମାନେ ତାରିଖ ପୁନଃବିଚାର ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଇସ୍କନ୍ ପକ୍ଷରୁ ୨୪ ମେରେ ରଥଯାତ୍ରା ଆୟୋଜନ କରାଯାଇଥିଲା।
ଏହି ବିବାଦ ବର୍ତ୍ତମାନ ୟୁକେ ସୀମା ଛାଡ଼ି ୟୁରୋପ, ଆମେରିକା ଓ ଭାରତର ଜଗନ୍ନାଥ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକଙ୍କ ମତରେ, ବିଦେଶରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଯେତେ ଜରୁରୀ, ତାହାର ମୌଳିକ ପରମ୍ପରା ଓ ଶାସ୍ତ୍ରୀୟ ନିୟମକୁ ସୁରକ୍ଷିତ ରଖିବା ମଧ୍ୟ ସେତେ ଆବଶ୍ୟକ।
ତେବେ ଉଭୟ ପକ୍ଷର ଲକ୍ଷ୍ୟ ଏକ ପ୍ରଭୁ ଜଗନ୍ନାଥଙ୍କ ମହିମାର ପ୍ରଚାର ଓ ସଠିକ୍ ଉପାସନା। କିନ୍ତୁ ସେହି ଲକ୍ଷ୍ୟରେ ପହଞ୍ଚିବାର ପଦ୍ଧତିକୁ ନେଇ ମତଭେଦ ଏବେ ବିବାଦର ରୂପ ନେଇଛି। ଭବିଷ୍ୟତରେ ପାରମ୍ପରିକ ତିଥି ଅନୁଯାୟୀ ଉତ୍ସବ ପାଳନ କରିବାକୁ ଭକ୍ତ ସଂଗଠନଗୁଡ଼ିକ ଆହ୍ୱାନ ଜଣାଇଛନ୍ତି। ତେଣୁ ଏହି ପବିତ୍ର ପରମ୍ପରାକୁ ଅବହେଳା କଲେ ଆଗାମୀ ପିଢ଼ି ନିକଟରେ ଭୁଲ ବାର୍ତ୍ତା ଯିବ। ମହାପ୍ରଭୁଙ୍କ ସଂସ୍କୃତିର ମୌଳିକତା ରକ୍ଷା କରିବା ପାଇଁ ଇସ୍କନ ତୁରନ୍ତ ଏଥିରେ ସୁଧାର ଆଣୁ ବୋଲି ଓଡ଼ିଆ ସମୁଦାୟ ଦାବି କରିଛି। ଏହି ଘଟଣାକୁ ନେଇ ଏବେ ଓଡ଼ିଶା ସମେତ ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।