ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳରେ ଅଣଦେଖା କରାଯାଉଥିବାର ଅଭିଯୋଗ କରି ବିଜେଡ଼ି ଛାଡ଼ିବା ପରେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି । ପୁଣି ଜଣେ ପୁରୁଖା ନେତା ଦଳ ଛାଡ଼ିବା ପରେ ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର । ନାଁ ନ ଧରି ଶ୍ରୀମୟୀ କହିଛନ୍ତି, ଯେପର୍ଯ୍ୟନ୍ତ ଭଣ୍ଡ ରହିବ, ସେପର୍ଯ୍ୟନ୍ତ ୱିକେଟ୍ ପଡ଼ିଚାଲିବ । ଶ୍ରୀମୟୀ ସିଧାସଳଖ କାହାକୁ ଇଙ୍ଗିତ ନ କରିଥିଲେ ବି ଭଣ୍ଡ ସନ୍ନ୍ୟାସୀ ଭିକେ ପାଣ୍ଡିଆନଙ୍କ ପାଇଁ, ତାହା ସ୍ପଷ୍ଟ ଅଟେ ।
ଶ୍ରୀମୟୀ ଗତକାଲିଠାରୁ ସାମାଜିକ ଗଣମାଧ୍ୟମରେ ଏକାଧିକ ପୋଷ୍ଟ କରିଛନ୍ତି । ସେ କହିବାନୁସାରେ ଦେବାଶିଷଙ୍କୁ ଅଟକାଇବାକୁ ଦଳ ପକ୍ଷରୁ ଅନେକ ଫୋନ୍ କଲ୍ ଯାଇଥିଲା । କିନ୍ତୁ ସେମାନେ ଦେବାଶିଷଙ୍କୁ ଆଉ ଅଟକାଇବାରେ ସଫଳ ହୋଇପାରିନଥିଲେ । ଶ୍ରୀମୟୀ ଗତକାଲି ହିଁ ଦଳର ସୁପ୍ରିମୋଙ୍କୁ ଚେତାଇ ଦେଇ ପୋଷ୍ଟ କରିଥିଲେ ଯେ ପୁଣି ଗୋଟେ ୱିକେଟ୍ ପଡ଼ିବ । ଅର୍ଥାତ ଦଳର ପୁଣି ଜଣେ ନେତା ଇସ୍ତଫା ଦେବେ । ଯାହାକି ଆଜି ସତ୍ୟରେ ପ୍ରମାଣିତ ହୋଇଛି ।
ଆଜି ପୁଣି ଶ୍ରୀମୟୀ ଲେଖିଛନ୍ତି ଯେ “ଯେପର୍ଯ୍ୟନ୍ତ ଭଣ୍ଡ ରହିବ, ସେ ପର୍ଯ୍ୟନ୍ତ ୱିକେଟ୍ ପଡ଼ି ଚାଲିବ”। ସେହିପରି ଆହୁରି ଏକ ପୋଷ୍ଟରେ ଲେଖିଛନ୍ତି, “ଫେରିଆସ ସନ୍ୟାସୀ ପ୍ରଚାର ନକରି,
ଯଦି ଫେରିଆସ ପୁରୁଖା ପ୍ରଚାର ହୋଇଥାନ୍ତା, ତେବେ ଏଭଳି ସ୍ଥିତି ହୁଅନ୍ତାନି”।
ତେବେ ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ଦେବାଶିଷଙ୍କୁ କଟାକ୍ଷ କରିଛନ୍ତି । ପ୍ରମିଳା କହିଛନ୍ତି ଯେ ଦେବାଶିଷଙ୍କୁ ନବୀନ ଏକାଧିକ ପଦବୀ ଦେଇଛନ୍ତି । ନବୀନ ତାଙ୍କୁ କର୍ପୋରେଟର୍ ଠାରୁ ଆରମ୍ଭ କରି ବିଧାୟକ ଏବଂ ସାଂସଦ କରିଛନ୍ତି । ଯଦି ସେ ବିଜେପିକୁ ଯାଆନ୍ତି ବୋଧହୁଏ ତାଙ୍କୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ପଦ ମିଳିପାରେ ବୋଲି କଟାକ୍ଷ କରିଛନ୍ତି ପ୍ରମିଳା । ଯିଏ ବ୍ୟବସାୟ କିମ୍ବା ପଦ ପଦବୀ ଆଶାରେ ଆସନ୍ତି ସେମାନେ ଦଳରେ ତିଷ୍ଠି ପାରନ୍ତି ନାହିଁ ।
ସେହିପରି ପ୍ରମିଳା ଶ୍ରୀମୟୀଙ୍କ ମନ୍ତବ୍ୟରେ ଜବାବରେ କହିଛନ୍ତି ରାଜନୀତି ଖେଳ ପଡ଼ିଆ ନୁହେଁ ୱିକେଟ୍ ପଡ଼ିବ ।