ନାଗପୁର: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ନିଜର ଦମଦାର କାମ ସହ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ସଦାସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ପୁଣିଥରେ ନିଜର ଏକ ନିଆରା ବୟାନକୁ ନେଇ ସେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି। ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗଡ଼କରୀ କହିଛନ୍ତି, "ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ପଦର କଣ ଆବଶ୍ୟକତା ଅଛି? ଜନତାଙ୍କ ଭଲପାଇବା ହିଁ ଦୁନିଆର ସବୁଠାରୁ ବଡ଼ ପଦବୀ।" ଲୋକଙ୍କଠାରୁ ମିଳୁଥିବା ସ୍ନେହ ଓ ଆଶୀର୍ବାଦକୁ ହିଁ ସେ ନିଜ ଜୀବନର ପ୍ରକୃତ ସମ୍ପତ୍ତି ବୋଲି ଅଭିହିତ କରିଛନ୍ତି।
ରାଜନୀତିକୁ ନେଇ ମୁଁ କେବେ ଚିନ୍ତା କରେନାହିଁ
ନାଗପୁରର ରାଷ୍ଟ୍ରଭାଷା ପରିବାର ପକ୍ଷରୁ ଆୟୋଜିତ "ମିତ୍ରୋଁ କେ ବିଚ୍" କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନିଜ ମନର କଥା ସେୟାର କରିଥିଲେ। ସେ କହିଛନ୍ତି, ବୟସ ବଢ଼ିବା ସ୍ୱାଭାବିକ ଏବଂ ରାଜନୀତି ତା' ବାଟରେ ଚାଲିବ। ଏସବୁକୁ ନେଇ ମୁଁ କେବେ ହେଲେ ଚିନ୍ତିତ ହୁଏନାହିଁ। ଆମର ଏକମାତ୍ର ମୂଳ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ସେବା କରିବା। ଆଉ ଲୋକଙ୍କର ଏହି ନିସ୍ୱାର୍ଥପର ଭଲପାଇବା ହିଁ ମୋତେ ଆଗକୁ ବଢ଼ିବା ପାଇଁ ଏବଂ କାମ କରିବା ପାଇଁ ପ୍ରେରଣା ଯୋଗାଇଥାଏ।
ଢାବାବାଲା ବି ନେଉନାହାନ୍ତି ବିଲ୍ !
ଭାଷଣ ପ୍ରସଙ୍ଗରେ ନିତିନ ଗଡ଼କରୀ ନିଜ ଜୀବନର ଏକ ରୋଚକ ଅନୁଭୂତି ବାଣ୍ଟିଥିଲେ। ସେ କହିଥିଲେ, ଲୋକେ ମୋତେ ଆସି କୁହନ୍ତି ଯେ ଯେତେବେଳେ ସେମାନେ କାନପୁର କିମ୍ବା ଅନ୍ୟ କୌଣସି ସହରର ଢାବାକୁ ଖାଇବାକୁ ଯାଉଛନ୍ତି, ସେଠାରେ ସେମାନେ ନିଜକୁ ନାଗପୁରର (ଗଡ଼କରୀଙ୍କ ନିର୍ବାଚନ ମଣ୍ଡଳୀ) ବୋଲି ପରିଚୟ ଦେବା ମାତ୍ରେ ଢାବା ମାଲିକ ସେମାନଙ୍କଠାରୁ ଖାଇବାର ବିଲ୍ ନେଉନାହାନ୍ତି।
ଏହା କେବଳ ଗଡ଼କରୀଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ସର୍ବସାଧାରଣଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି। ନିଜର ବେପରୁଆ ଓ ସରଳ ଅନ୍ଦାଜ ପାଇଁ ଜଣାଶୁଣା ଗଡ଼କରୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
Also Read: ରାଜ୍ୟସଭା ପଦ ଛାଡ଼ିଲେ ସାଂସଦ ଦେବାଶିଷ ସାମନ୍ତରାୟ