ନୂଆଦିଲ୍ଲୀ: ନିଟ୍ ୟୁଜି ପେପର ଲିକ୍ ମାମଲା ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ମଧ୍ୟରେ ସୋମବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ବଡ ଟିପ୍ପଣୀ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ବଡ ଦୁଃଖର କଥା ଏତେ ସବୁ ପରେ ବି କିଛି ଶିକ୍ଷା ପାଇଲେନି । ଜଷ୍ଟିସ ପିଏସ ନରସିମାହ ଓ ଜଷ୍ଟିସ ଆଲୋକ ଅରାଧେଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଅଦାଲତ ଏହି ମାମଲାରେ ଦାୟର ଅନେକ ଯାଚିକା ଉପରେ ଏକ ସଙ୍ଗେ ଶୁଣାଣି କରୁଛନ୍ତି ।
ସୁପ୍ରିମକୋର୍ଟ ନିଟ୍ ଆୟୋଜିତ କରିବା ପାଇଁ ଏନଟିଏ(ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି) ବଦଳରେ ଏକ ମଜବୁତ ଏବଂ ସ୍ୱାୟତ୍ତ ସଂସ୍ଥା ସ୍ଥାପନ କରିବା ଦାବିରେ ଦାୟର ଯାଚିକାରେ କେନ୍ଦ୍ର ସରକାର, ଏନଟିଏ ଓ ସିବିଆଇଠୁ ଜବାବ ଲୋଡିଛନ୍ତି । ଉଲ୍ଲେଖନୀୟ ନିଟ୍ ପେପର ଲିକ୍ ମାମଲାରେ ବିରୋଧୀ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି ।
କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସଚିନ ପାଇଲଟ କହିଛନ୍ତି, ନିଟ୍-ୟୁଜି ପେପର ଲିକ୍ କେବଳ ସରକାର କି ପ୍ରଶାସନର ବିଫଳତା ନୁହେଁ ଏହା ପୂରା ଯୁବ ପିଢିଙ୍କ ଭବିଷ୍ୟତ ସହ କରାଯାଇଥିବା ଏକ ଜଘନ୍ୟ ଅପରାଧ । ତେଣୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବିଳମ୍ବେ ଇସ୍ତଫା ଦେବା ଉଚିତ୍ ।
ସେ କହିଛନ୍ତି, ଗରିବ ଓ ମଧ୍ୟବିତ୍ତ ମାତା-ପିତା ନିଜର ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଲକ୍ଷ ଲକ୍ଷ ଟଙ୍କାର ଋଣ ନେଇ ପଢାଉଛନ୍ତି । ମାତ୍ର ଏହି ଭ୍ରଷ୍ଟ ବ୍ୟବସ୍ଥା ସେମାନଙ୍କ ବିଶ୍ୱାସକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି । ଏହା ଅତ୍ୟନ୍ତ ଦୁଃଖ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ କଥା ଯେ, ଯେବେ ଏହି ଅନ୍ୟାୟ ବିରୋଧରେ ପୀଡିତ ପରିବାର ଏବଂ ଯୁବକମାନେ ନ୍ୟାୟର ଗୁହାରି କଲେ, ପୋଲିସ ଏବଂ ପ୍ରଶାସନ ସେମାନଙ୍କ ସହିତ ଦୁର୍ବ୍ୟବହାର କରିଛନ୍ତି । ଏହି ବ୍ୟବସ୍ଥାର ବିବଫଳତା କାରଣରୁ ଯେଉଁ ଜୀବନହାନୀ ଘଟିଛି ଏଥିପାଇଁ ପୂରା ଶାସନକଳ ହିଁ ଦାୟୀ ।
Also Read: ଗରିବଙ୍କ ଟଙ୍କାରେ ବଡ଼ ଖେଳ! ଜୟପୁର ପୋଷ୍ଟାଲ୍ ଡିଭିଜନ୍ରେ ୫୦ କୋଟି ଟଙ୍କା ଘୋଟାଲା ଅଭିଯୋଗ; ସିବିଆଇ ତଦନ୍ତ ଦାବି