ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଥିବା ବନ୍ଧୁତା ଆଜି ଏକ ନୂଆ ଶିଖରରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ନିଜର ଜଣେ ଅନ୍ତରଙ୍ଗ ବନ୍ଧୁ ବୋଲି କହିବା ସହ ଭାରତ-ଆମେରିକା ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ଉତ୍ସବରେ ଟ୍ରମ୍ପ ସ୍ପିକରଫୋନ୍ ମାଧ୍ୟମରେ ସିଧାସଳଖ ଯୋଡ଼ି ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଥିବା ନିଜର ଶ୍ରଦ୍ଧା ଓ ସମର୍ଥନ ଜାହିର କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କର ମୁଁ ଜଣେ ବଡ଼ ଫ୍ୟାନ୍
ଆମେରିକୀୟ ଦୂତାବାସ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଶତାଧିକ ଅତିଥିଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, "ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ଭଲପାଏ। ସେ ଜଣେ ଚମତ୍କାର ବ୍ୟକ୍ତି ଏବଂ ମୋର ପ୍ରିୟ ବନ୍ଧୁ। ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ପୂର୍ବରୁ କେବେ ଏତେ ସୁଦୃଢ଼ ଓ ନିବିଡ଼ ନଥିଲା। ଭାରତ ଆମ ଉପରେ ଏବଂ ଆମ ଦେଶ ଉପରେ ୧୦୦ ପ୍ରତିଶତ ଭରସା କରିପାରିବ।"
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କେବେ ବି ଭାରତକୁ କୌଣସି ସାହାଯ୍ୟର ଆବଶ୍ୟକତା ପଡ଼େ, ତେବେ ସେମାନେ ଜାଣିଛନ୍ତି କେଉଁଠିକି ଫୋନ୍ କରିବାକୁ ହେବ। ଆମେରିକାର ଅର୍ଥନୀତି ଓ ଶେୟାର ବଜାର ଏବେ ସର୍ବକାଳୀନ ରେକର୍ଡ ସ୍ତରରେ ରହିଛି ଏବଂ ଭାରତ ଯାହା ବି ଚାହୁଁଛି, ତାହା ଆମ ପାଖରେ ଉପଲବ୍ଧ ଅଛି।
ସେକ୍ରେଟେରୀ ଅଫ୍ ଷ୍ଟେଟ୍ ମାର୍କୋ ରୁବିଓଙ୍କୁ ପ୍ରଶଂସା
ଏହି ଅବସରରେ ଟ୍ରମ୍ପ ଭାରତ ଗସ୍ତରେ ଥିବା ଆମେରିକାର ସେକ୍ରେଟେରୀ ଅଫ୍ ଷ୍ଟେଟ୍ ମାର୍କୋ ରୁବିଓଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ରୁବିଓ ହେଉଛନ୍ତି ଆମେରିକା ଇତିହାସର ସବୁଠାରୁ ସଫଳ ଏବଂ ମହାନ ସେକ୍ରେଟେରୀ ଅଫ୍ ଷ୍ଟେଟ୍। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ତରଫରୁ ଶୁଭେଚ୍ଛା ଜଣାଇବା ସହ ସେ ତାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିବାକୁ ଟ୍ରମ୍ପ ରୁବିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମୋଦୀ-ଟ୍ରମ୍ପ ବନ୍ଧୁତା ଦଶନ୍ଧି ପୁରୁଣା: ଆମେରିକା ରାଷ୍ଟ୍ରଦୂତ ସର୍ଜିଓ ଗୋର କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ଥିବା ଆତ୍ମୀୟତା ଦୁଇ ଦେଶର ସମ୍ପର୍କକୁ ଏକ ନୂଆ ଦିଶା ଦେଇଛି। ପ୍ରତିଥର ଆଲୋଚନା ବେଳେ ଟ୍ରମ୍ପ ସର୍ବପ୍ରଥମେ ତାଙ୍କ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା ହିଁ ପଚାରିଥାନ୍ତି। ଏହି ସମ୍ପର୍କ ଆଜିର ନୁହେଁ, ବରଂ ପ୍ରାୟ ଏକ ଦଶନ୍ଧି ଧରି ଚାଲିଆସିଛି।