ଜୟପୁର ପୋଷ୍ଟାଲ୍ ଡିଭିଜନ୍ ଅଧୀନରେ ବଡ଼ ଧରଣର ଆର୍ଥିକ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟରୁ ପ୍ରାୟ ୫୦ କୋଟି ଟଙ୍କା ଆତ୍ମସାତ ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରାୟ ୫ ହଜାରରୁ ଅଧିକ ଜମାଖାତା ପ୍ରଭାବିତ ହୋଇଥିବା କୁହାଯାଉଛି।
ଅଭିଯୋଗ ଅନୁସାରେ, ଡାକ ବିଭାଗର ଡିଜିଟାଲ୍ ମନି ଟ୍ରାନ୍ସଫର୍ ବ୍ୟବସ୍ଥାର ଦୁର୍ବଳତାକୁ ବ୍ୟବହାର କରି କିମ୍ବା ସଫ୍ଟୱେରରେ ଅନଧିକୃତ ହସ୍ତକ୍ଷେପ କରି ହିତାଧିକାରୀଙ୍କ ମୋବାଇଲ୍ ନମ୍ବର ପରିବର୍ତ୍ତନ କରାଯାଇଥିଲା। ଏହାପରେ ମୂଳ କେୱାଇସି ତଥ୍ୟ ହଟାଇ ଟଙ୍କାକୁ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ରହିଛି।
ଜୟପୁର ପୋଷ୍ଟାଲ୍ ଡିଭିଜନ୍ରେ ୭୦୦ଟି ଗ୍ରାମୀଣ ପୋଷ୍ଟ ଅଫିସ ଓ ୪୧ଟି ସବ୍ ପୋଷ୍ଟ ଅଫିସ ରହିଛି। ତଦନ୍ତରେ କୋଡ଼ିଗାଁ ସବ୍ ପୋଷ୍ଟ ମାଷ୍ଟର ନିଜ ନାଁରେ ୯୦ଟି ଆକାଉଣ୍ଟ ଖୋଲିଥିବା ସୂଚନା ମିଳିଥିବା ବେଳେ, ଝରିଗାଁ ସବ୍ ପୋଷ୍ଟ ଅଫିସରେ ୭.୭୦ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ମନରେଗା ସମେତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଟଙ୍କା ଯେଉଁ ଆକାଉଣ୍ଟରେ ଦୀର୍ଘଦିନ ଧରି ପଡ଼ି ରହୁଥିଲା, ସେଗୁଡ଼ିକୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି। ମୋବାଇଲ୍ ନମ୍ବର ବଦଳିଯାଇଥିବାରୁ ହିତାଧିକାରୀମାନେ ଟଙ୍କା ଉଠାଣ ସମ୍ପର୍କରେ କୌଣସି ସୂଚନା ପାଇପାରୁନଥିଲେ।
ଏହି ଘଟଣାକୁ ନେଇ ବିଜେଡି ଓ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହାସହ ହିତାଧିକାରୀଙ୍କ ଟଙ୍କା ତୁରନ୍ତ ଫେରାଇବାକୁ ଦାବି କରାଯାଇଛି। ଘଟଣାରେ କେବଳ ସବ୍ ପୋଷ୍ଟ ମାଷ୍ଟର ନୁହେଁ, କିଛି ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ବର୍ତ୍ତମାନ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।