ବଲାଙ୍ଗୀର ରେଳ ଷ୍ଟେସନରୁ ଏକ ବଡ଼ ଶିଶୁ ଶ୍ରମିକ ଚାଲାଣ ରାକେଟର ପର୍ଦ୍ଦାଫାସ ହୋଇଛି। ରେଳ ସୁରକ୍ଷା ବଳ (RPF) କାର୍ଯ୍ୟାନୁଷ୍ଠାନ ନେଇ ୧୭ ଜଣ ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହି ଘଟଣା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ନାବାଳକମାନେ ଛତିଶଗଡ଼, ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶର ବାସିନ୍ଦା। ସେମାନେ ଗତ ୧୮ ଦିନ ଧରି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ନିକଟରେ ଚାଲିଥିବା ବଲାଙ୍ଗୀର–ଖୋର୍ଦ୍ଧା ନୂତନ ରେଳପଥ ନିର୍ମାଣ କାମରେ ନିୟୋଜିତ ଥିଲେ। କାମ ସରିବା ପରେ ସେମାନଙ୍କୁ ଅନ୍ୟ ଏକ ସ୍ଥାନକୁ ନେବା ପାଇଁ ଯୋଜନା ହୋଇଥିଲା।
ଏହି ସମୟରେ ଗୁପ୍ତ ସୂଚନା ପାଇ RPF ଅଧିକାରୀମାନେ ବାଲଙ୍ଗିର ଷ୍ଟେସନରେ ଚଢ଼ାଉ କରିଥିଲେ। ଯାଞ୍ଚ ବେଳେ ୧୭ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାରେ ଛତିଶଗଡ଼ର ରମେଶ ପାଣ୍ଡୁ ନାମକ ଜଣେ ଠିକାଦାରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ଖବର ପାଇ ସରକାରୀ ରେଳ ପୁଲିସ (GRP), ଶିଶୁ କଲ୍ୟାଣ କମିଟି ଓ ଶିଶୁ ସୁରକ୍ଷା ବିଭାଗର ଅଧିକାରୀମାନେ ଷ୍ଟେସନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଉଦ୍ଧାର ହୋଇଥିବା ସମସ୍ତ ନାବାଳକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି।
ପୁଲିସ ଏହି ଘଟଣାରେ ଠିକାଦାର ସହ ଜଡିତ ଅନ୍ୟ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ତଦନ୍ତକାରୀ ସଂସ୍ଥାର ସନ୍ଦେହ, ବିଭିନ୍ନ ରାଜ୍ୟରୁ ନାବାଳକଙ୍କୁ ଆଣି ନିର୍ମାଣ କାମରେ ନିୟୋଜିତ କରୁଥିବା ଏକ ବଡ଼ ରାକେଟ ସକ୍ରିୟ ରହିଛି। ଏହାର ଚେର ଖୋଜିବା ପାଇଁ ତଦନ୍ତ ଜାରି ରହିଛି।