ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁରେ ୧୫ରୁ ଅଧିକ ଦୋକାନ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୫ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି।
ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢେ ୩ଟା ସମୟରେ ମାର୍କେଟର ଏକ ଦୋକାନରୁ ହଠାତ୍ ନିଆଁ ବାହାରୁଥିବା ଦେଖାଯାଇଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରି ପାଖପାଖି ଦୋକାନକୁ ବ୍ୟାପି ଯାଇଥିଲା। ରାତିର ନିରବତା ଭିତରେ ନିଆଁର ଶିଖା ସମଗ୍ର ଅଞ୍ଚଳକୁ ଭୟଭୀତ କରିଦେଇଥିଲା।
ସ୍ଥାନୀୟ ଲୋକମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଜଳେଶ୍ୱର ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିଥିଲା। ପ୍ରାୟ ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।
ଏହି ଅଗ୍ନିକାଣ୍ଡରେ ଅନେକ ବ୍ୟବସାୟୀଙ୍କ ଜୀବିକା ଉପରେ ବଡ଼ ଆଘାତ ଲାଗିଛି। ତେବେ ନିଆଁ ଲାଗିବାର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଶର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ଜାରି ରହିଛି।
ଅନ୍ୟପଟେ ଭୟାବହ ଅଗ୍ନିକାଣ୍ଡ ପରେ ସକାଳର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟବିଦାରକ। ଯେଉଁଠାରେ ଗତକାଲି ପର୍ଯ୍ୟନ୍ତ ବ୍ୟବସାୟର କୋଳାହଳ ଥିଲା, ସେଠାରେ ଏବେ ଖାଲି ପାଉଁଶ ଓ ଧ୍ୱଂସସ୍ତୂପ। ନିଆଁ ଲିଭିଯାଇଥିଲେ ମଧ୍ୟ ବ୍ୟବସାୟୀଙ୍କ ମନରେ ଜଳୁଛି ହଜିଯାଇଥିବା ସ୍ୱପ୍ନର ନିଆଁ। କେହି ପାଉଁଶ ଗଦା ଭିତରୁ ଅଧାପୋଡ଼ା ସାମଗ୍ରୀ ଖୋଜୁଛନ୍ତି, ତ ଆଉ କେହି ସର୍ବସ୍ୱ ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସମସ୍ତଙ୍କ ଆଖିରେ ଏବେ କେବଳ ଲୁହ ଓ ଅନିଶ୍ଚିତ ଭବିଷ୍ୟତର ଚିନ୍ତା।
ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୫ଟି ପରିବାରର ଜୀବିକା ଉପରେ ସିଧାସଳଖ ପ୍ରଭାବ ପଡ଼ିଛି। ବର୍ଷ ବର୍ଷ ଧରି ଗଢ଼ିଥିବା ବ୍ୟବସାୟ କିଛି ଘଣ୍ଟା ମଧ୍ୟରେ ପାଉଁଶ ପାଲଟିଯାଇଛି।
ଖବର ପାଇ ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି ଏବଂ ବିଜେପି ନେତା ବ୍ରଜମୋହନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ। ସେମାନେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟି ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏବେ ସମସ୍ତଙ୍କ ନଜର ସରକାରୀ ସହାୟତା ଉପରେ। ସର୍ବସ୍ୱ ହରାଇଥିବା ଏହି ୨୫ଟି ପରିବାର କେବେ ସହାୟତା ପାଇବେ ଓ କେତେ ଶୀଘ୍ର ପୁଣି ଥରେ ନିଜ ଜୀବନ ଓ ବ୍ୟବସାୟକୁ ସଜାଡ଼ି ପାରିବେ, ତାହା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ।