କଟକ: ଏକବିଂଶ ଶତାବ୍ଦୀରେ ମଧ୍ୟ କନ୍ୟା ସନ୍ତାନକୁ ନେଇ ସମାଜର ଏକ ଅନ୍ଧକାର ମାନସିକତା ପୁଣିଥରେ ସାମ୍ନାକୁ ଆସିଛି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମରୁ ଆସିଥିବା ଏକ ଅଭାବନୀୟ ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯମଜ କନ୍ୟା ଜନ୍ମ ଦେଇଥିବା ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପରିବାର ଲୋକେ ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, କାନପୁର ଗ୍ରାମର ଅଜୟ ଜେନାଙ୍କ ଝିଅ ପାର୍ବତୀ ଜେନାଙ୍କ ବିବାହ ଚାରି ବର୍ଷ ପୂର୍ବେ ପଶୁଲୁଣ୍ଡା ଗ୍ରାମର ଚନ୍ଦ୍ରଶେଖର ଜେନାଙ୍କ ସହ ହୋଇଥିଲା। ବିବାହ ପରଠାରୁ ପାର୍ବତୀ ଯୌତୁକ ନିର୍ଯାତନାର ଶିକାର ହୋଇଆସୁଥିବା ଅଭିଯୋଗ କରିଛନ୍ତି। ତେବେ ଘଟଣା ଆହୁରି ଭୟଙ୍କର ମୋଡ଼ ନେଇଥିଲା ଯେତେବେଳେ ମାସକ ପୂର୍ବରୁ ସେ ଯମଜ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ।
ଅଭିଯୋଗ ଅନୁଯାୟୀ, ଘରେ ପୁଅ ସନ୍ତାନ ପରିବର୍ତ୍ତେ ଦୁଇଟି ଝିଅ ଜନ୍ମ ହେବାରୁ ଶାଶୁ, ଶଶୁର ଓ ନଣନ୍ଦ ଅସନ୍ତୁଷ୍ଟ ହୋଇପଡ଼ିଥିଲେ। ଏହାପରେ ପାର୍ବତୀଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା ବଢ଼ିଯାଇଥିଲା। ଶେଷରେ ବିବାଦ ଏପରି ସ୍ଥିତିକୁ ପହଞ୍ଚିଥିଲା ଯେ, ପରିବାର ଲୋକେ ପୁଅ ଓ ବୋହୂଙ୍କୁ ଗାଁ ଦାଣ୍ଡରେ ତଳେ ପକାଇ ନିସ୍ତୁକ ମାଡ଼ ମାରିଥିଲେ। ପୁଅ ଚନ୍ଦ୍ରଶେଖର ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗ୍ରାମବାସୀ ଓ ସାଧାରଣ ଲୋକ ଏଭଳି ବର୍ବର ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏନେଇ ପାର୍ବତୀ ଓ ଚନ୍ଦ୍ରଶେଖର ମାହାଙ୍ଗା ଥାନାରେ ଶାଶୁ, ଶଶୁର ଓ ନଣନ୍ଦଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କନ୍ୟା ସନ୍ତାନକୁ ନେଇ ଏଭଳି ଅମାନବୀୟ ବ୍ୟବହାର ଆଜିର ସମାଜ ପାଇଁ ଏକ ଲଜ୍ଜାଜନକ ଉଦାହରଣ ବୋଲି ଚର୍ଚ୍ଚା ହେଉଛି।