ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ହସ୍ପିଟାଲ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏକ ନବଜାତ ଶିଶୁକନ୍ୟା ତଳେ ପଡ଼ି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିବା ବେଳେ ପରିବାର ଲୋକେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ମଚିଦା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ରବିବାର ଅପରାହ୍ନରେ ପ୍ରସବ ପାଇଁ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ପରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ଖୁସିର ମୁହୂର୍ତ୍ତ କିଛି ମିନିଟ ମଧ୍ୟରେ ଦୁଃଖରେ ପରିଣତ ହୋଇଥିଲା।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରସବ ପରେ ନବଜାତ ଶିଶୁକୁ ସମ୍ଭାଳିବା ବେଳେ ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା ଯୋଗୁଁ ଶିଶୁଟି ହାତରୁ ଖସି ତଳେ ପଡ଼ିଯାଇଥିଲା। ଏଥିରେ ଗୁରୁତର ଆଘାତ ଲାଗିବାରୁ ଶିଶୁକନ୍ୟାର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।
ଘଟଣା ଜଣାପଡ଼ିବା ପରେ ହସ୍ପିଟାଲରେ ଉତ୍ତେଜନା ବଢ଼ିଯାଇଥିଲା। ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ନ୍ୟାୟ ଦାବି କରିଥିଲେ। ଖବର ପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତର ଅଂଶ ଭାବେ କେତେକ ସ୍ୱାସ୍ଥ୍ୟକର୍ମୀଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଥିବା ସୂଚନା ମିଳିଛି। ମୃତ ଶିଶୁକନ୍ୟାର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସୁରକ୍ଷା ଓ ସେବାର ମାନ ବୃଦ୍ଧି କରିବାକୁ ଲୋକମାନେ ଦାବି କରୁଛନ୍ତି। ଅନ୍ୟପଟେ, ତଦନ୍ତ ଶେଷ ହେବା ପରେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।