ନିମାପଡା: ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ପୁତୁରାର ଛୁରାମାଡ଼ରେ ଦାଦା ଓ ଖୁଡ଼ି ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ପରେ ଅଭିଯୁକ୍ତ ପୁତୁରା ଏବଂ ତାଙ୍କର ଦୁଇ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ପୋଲିସ ସେମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।
ସୂଚନା ଅନୁଯାୟୀ, ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଣ୍ଡିଆ ସାହି ଗ୍ରାମର ବାସିନ୍ଦା ପ୍ରକାଶ ଚନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ନିରୋଜ ନଳିନୀ ସାହୁ ଘରେ ଥିବା ବେଳେ ପୁତୁରା ଅଗ୍ନି ତନ୍ମୟ ବେହେରା ଦୁଇ ସହଯୋଗୀଙ୍କ ସହ ସେଠାରେ ପହଞ୍ଚିଥିଲେ। ଦୀର୍ଘ ଦିନ ଧରି ଚାଲିଥିବା ଜମିବାଡ଼ି ବିବାଦକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା।କିଛି ସମୟ ମଧ୍ୟରେ ବଚସା ଉଗ୍ର ରୂପ ନେଇଥିଲା। ରାଗିଯାଇ ଅଗ୍ନି ତନ୍ମୟ ଏକ ଛୁରି ଧରି ପ୍ରଥମେ ଦାଦା ପ୍ରକାଶଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡ, ବେକ ଓ ପିଠି ସମେତ ଶରୀରର ବିଭିନ୍ନ ସ୍ଥାନରେ ଛୁରାମାଡ଼ କରିଥିଲେ। ପତିଙ୍କୁ ବଞ୍ଚାଇବାକୁ ଯାଇଥିବା ନିରୋଜ ନଳିନୀଙ୍କୁ ମଧ୍ୟ ଅଭିଯୁକ୍ତ ଛାଡ଼ି ନଥିଲେ। ତାଙ୍କ ଉପରେ ମଧ୍ୟ ଛୁରାମାଡ଼ କରି ଗୁରୁତର ଆହତ କରିଥିଲେ।
ଚିତ୍କାର ଶୁଣି ଝିଅ ଶିବାନୀ ଓ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ଦମ୍ପତିଙ୍କୁ ଉଦ୍ଧାର କରି ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପୋଲିସ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।