ମୋହନା: ଗଜପତି ଜିଲ୍ଲା ମୋହନାରେ ଅଳ୍ପକେ ଟଳିଯାଇଛି ଏକ ବଡ଼ ସଡ଼କ ଦୁର୍ଘଟଣା। ଚଳନ୍ତା ବସ୍ରୁ ହଠାତ୍ ଆଗ ଚକ ଖସିଯିବାରୁ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲେ ମଧ୍ୟ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ପ୍ରାୟ ୫୦ ଜଣ ଯାତ୍ରୀ ବଡ଼ ବିପଦରୁ ରକ୍ଷା ପାଇଛନ୍ତି।
ସୂଚନା ଅନୁଯାୟୀ, ‘ହରିହର’ ନାମକ ଏକ ଘରୋଇ ବସ୍ ବ୍ରହ୍ମପୁରରୁ ବ୍ରାହ୍ମଣୀ ଗାଁ ଅଭିମୁଖେ ଯାଉଥିଲା। ବସ୍ଟି ମୋହନା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିବା ବେଳେ ହଠାତ୍ ଡ୍ରାଇଭର ସାଇଡ୍ର ଆଗ ଚକଟି ବାହାରି ଗଡ଼ିଗଡ଼ି ଯାଇ ଏକ ଦୋକାନ ଭିତରେ ପଶିଯାଇଥିଲା।
ଚକ ଖସିଯିବା ପରେ ମଧ୍ୟ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଯୋଗୁଁ ବସ୍କୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ସେ ତୁରନ୍ତ ବସ୍ଟିକୁ ରାସ୍ତା କଡ଼କୁ ନେଇ ସୁରକ୍ଷିତ ଭାବେ ଅଟକାଇ ଦେଇଥିଲେ। ଫଳରେ ବସ୍ରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।
ସୌଭାଗ୍ୟବଶତଃ ଚକଟି ଯେଉଁ ଦୋକାନରେ ପଶିଥିଲା, ସେଠାରେ ମଧ୍ୟ କୌଣସି ଜନହାନି ହୋଇନଥିଲା। ଘଟଣା ପରେ କିଛି ସମୟ ପାଇଁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିବାରୁ ସମସ୍ତେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।