କେନ୍ଦ୍ରାପଡ଼ା ସହର ଥାନା ଅନ୍ତର୍ଗତ ସାନ୍ତସାହି ଅଞ୍ଚଳରେ ଜମି ବିବାଦକୁ କେନ୍ଦ୍ର କରି ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଦୀର୍ଘଦିନର ପାରିବାରିକ ଜମି ବିବାଦ ଶେଷରେ ନେଇଛି ଜଣଙ୍କ ଜୀବନ। ପୁତୁରାଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଦାଦା।
ସୂଚନା ଅନୁସାରେ, ରବିବାର ମଧ୍ୟରାତ୍ରୀରେ ବାବୁଲାଲ ବାରିକ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ପୁତୁରା ହିମାଂଶୁ ବାରିକଙ୍କ ସହ ସାକ୍ଷାତ ହୋଇଥିଲା। ଉଭୟଙ୍କ ମଧ୍ୟରେ ପୂର୍ବରୁ ଜମିକୁ ନେଇ ବିବାଦ ଲାଗି ରହିଥିଲା। ସେହି ପୁରୁଣା ବିବାଦକୁ ନେଇ ପୁଣିଥରେ ବଚସା ଆରମ୍ଭ ହୋଇଥିଲା। ବଚସା କ୍ରମେ ଉଗ୍ର ରୂପ ନେବା ପରେ ହିମାଂଶୁ ଉତ୍ତେଜିତ ହୋଇ ପାଖରେ ପଡ଼ିଥିବା ଏକ ପଥର ଉଠାଇ ବାବୁଲାଲଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲେ। ଗୁରୁତର ଆହତ ହୋଇ ବାବୁଲାଲ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।
ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ କେନ୍ଦ୍ରାପଡ଼ା ସହର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ଅଭିଯୁକ୍ତ ହିମାଂଶୁଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୀର୍ଘଦିନ ଧରି ଚାଲିଥିବା ଜମି ବିବାଦ ହିଁ ଏହି ହତ୍ୟାକାଣ୍ଡର ମୂଳ କାରଣ। ପରିବାର ଭିତରେ ଥିବା ବିବାଦ କିପରି ଭୟଙ୍କର ରୂପ ନେଇପାରେ, ଏହି ଘଟଣା ତାହାର ଏକ ଜ୍ୱଳନ୍ତ ଉଦାହରଣ। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛି।