ନୂଆଦିଲ୍ଲୀ: ଭୋପାଳର ବହୁ ଚର୍ଚ୍ଚିତ ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏକ ଅତ୍ୟନ୍ତ ସ୍ପର୍ଶକାତର ପରିବେଶ ସୃଷ୍ଟି ହୋଇଛି। ସୋମବାର ଏହି ହାଇ-ପ୍ରୋଫାଇଲ୍ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କୋର୍ଟରେ ଏକ ବଡ଼ ଏବଂ ଭାବପ୍ରବଣ ବୟାନ ଦେଇଛନ୍ତି। ସେ କହିଛନ୍ତି, ଜଣେ ମୃତ ଝିଅ ଅପେକ୍ଷା ଛାଡ଼ପତ୍ର ପାଇଥିବା ଝିଅ ବହୁତ ଭଲ। ଏହା ସହ ଝିଅଟିର ସମସ୍ୟା ଓ ଅଭିଯୋଗକୁ ସମୟ ଥାଉ ଥାଉ ଗୁରୁତ୍ୱ ନଦେଇଥିବାରୁ ଟ୍ୱିଶାଙ୍କ ପରିବାର ଉପରେ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ବିପୁଲ ଏମ. ପଞ୍ଚୋଲିଙ୍କ ଖଣ୍ଡପୀଠ ଆଗରେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଏସଜି ତୁଷାର ମେହେଟ୍ଟା ପକ୍ଷ ରଖୁଥିବା ବେଳେ ଅଭିଯୁକ୍ତ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦଭେ ମାମଲା ପରିଚାଳନା କରୁଛନ୍ତି।
ଶାଶୁଙ୍କ ବିରୋଧରେ ତଦନ୍ତରେ ଅସହଯୋଗ ଓ ବଦନାମ କରିବା ଅଭିଯୋଗ
ଲାଇଭ୍ ଲ' ରିପୋର୍ଟ ଅନୁଯାୟୀ, ଶୁଣାଣି ବେଳେ ଏସଜି ତୁଷାର ମେହେଟ୍ଟା କୋର୍ଟଙ୍କୁ ଜଣାଇଛନ୍ତି ଯେ, ଟ୍ୱିଶାଙ୍କ ଶାଶୁ ତଥା ପୂର୍ବତନ ଜିଲ୍ଲା ଜଜ୍ ଗିରିବାଲା ସିଂ ବିଭିନ୍ନ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ନିଜ ବୋହୂଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେ ତଦନ୍ତରେ ସହଯୋଗ କରୁନାହାନ୍ତି। ଏହାର ଜବାବରେ ଅଭିଯୁକ୍ତଙ୍କ ଓକିଲ ସିଦ୍ଧାର୍ଥ ଦଭେ ଗଣମାଧ୍ୟମର ରିପୋର୍ଟିଂକୁ ନେଇ ଆପତ୍ତି ଉଠାଇ କହିଥିଲେ ଯେ, ସିଆରପିସି ଧାରା ୧୬୪ ଅନୁସାରେ ରେକର୍ଡ ହୋଇଥିବା ବୟାନ ଆଜି ଖବରକାଗଜରେ ପ୍ରକାଶ ପାଇଛି। ଏହା ଉପରେ ଏସଜି କହିଥିଲେ ଯେ, ଅଭିଯୁକ୍ତ ନିଜେ ଟିଭି ଚ୍ୟାନେଲକୁ ଯାଇ ମନଇଚ୍ଛା ବୟାନବାଜି କରୁଛନ୍ତି।
ଗଣମାଧ୍ୟମକୁ ସୁପ୍ରିମକୋର୍ଟଙ୍କ ସତର୍କବାଣୀ
ଏହି ମାମଲାରେ ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, କୋର୍ଟ କୌଣସି ପ୍ରକାରର ପୂର୍ବ-ନିର୍ଦ୍ଧାରିତ ମନଗଢ଼ା କାହାଣୀ ତିଆରି କରିବା ସପକ୍ଷରେ ନାହାନ୍ତି। ସେଥିପାଇଁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି। କୋର୍ଟଙ୍କର ପୁଲିସ ଓ ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ଏହା ସହ ମିଡିଆକୁ ଅଧିକ ଦାୟିତ୍ୱବାନ ହେବାକୁ କୋର୍ଟ ଅପିଲ୍ କରିଛନ୍ତି। କୌଣସି ପକ୍ଷର ବ୍ୟକ୍ତିଗତ ଦାବି କିମ୍ବା ସେମାନଙ୍କ ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କ କଥାକୁ ନେଇ ଭ୍ରମାତ୍ମକ ଖବର ପ୍ରସାରଣ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Also Read: କୋର୍ଟରେ ପହଞ୍ଚିଲା 'କକରୋଚ୍ ଜନତା ପାର୍ଟି' ବିବାଦ; CJI କହିଲେ- ଏତେ ଇମୋସନାଲ୍ ହୁଅନ୍ତୁନି, ଏହା ଗମ୍ଭୀର ମାମଲା ନୁହେଁ