ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବେ କେଉଁ ଦଳକୁ ଯିବେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ଏହାରି ମଧ୍ୟରେ ସେ କାହିଁକି ବିଜେଡ଼ି ଛାଡ଼ିଲେ ଏବଂ କେଉଁ ଦଳକୁ ଯିବେ ସଙ୍କେତ ଦେଇସାରିଛନ୍ତି । ସେହି ଦଳର ନାମ ନ କହିଥିଲେ ମଧ୍ୟ ସେ ଏକ ରାଷ୍ଟ୍ରୀୟ ଦଳକୁ ଯିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
ଦେବାଶିଷ ସାମନ୍ତରାୟ ଆଜି ଉଭୟ ବିଜେଡ଼ି ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଏହି ରାଜ୍ୟସଭାର ଇସ୍ତଫା ପତ୍ର ଅଧ୍ୟକ୍ଷ ଉପରାଷ୍ଟ୍ରପତିଙ୍କୁ ଦେଇଛନ୍ତି । ଏହା ପରେ ଦେବାଶିଷ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଭିକେ ପାଣ୍ଡିଆନଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ତାଙ୍କରି ପାଇଁ ଦଳ ଆଜି ସରକାରକୁ ଆସୁ ଆସୁ ରହିଗଲା । ସେହିପରି ନବୀନ ନିଜେ କହିଥିଲେ ଯେ ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରଷ୍ଟ କରି ବିଜୁ ବାବୁଙ୍କ ଦିଲ୍ଲୀ ବାସଭବନକୁ ତାମିଲ ଲୋକ ହାତକୁ ଟେକି ଦେଲେ । ଯାହାକି ଅତ୍ୟନ୍ତ ଦୁଃଖଦାୟକ ।
ଦେବାଶିଷ ଆହୁରି କହିଛନ୍ତି ଯେ ରାଜ୍ୟସଭା ସାଂସଦ ଥାଇ ମଧ୍ୟ ବର୍ଷେ ହେଲାଣି ନବୀନ ବାବୁଙ୍କୁ ଦେଖା କରି ପାରିନାହାଁନ୍ତି । କେବଳ ଗୋଟିଏ ଲୋକ ଭୈରବ ପାଣ୍ଡିଆନଙ୍କ ପାଇଁ ସେ ଦଳ ଛାଡ଼ିଛନ୍ତି ।
ସେହିପରି ପ୍ରମିଳା ମଲ୍ଲିକ ଏବଂ ଲେନିନ ମହାନ୍ତିଙ୍କ ଅଭିଯୋଗର ଜବାବ ଦେବାକୁ ମନା କରିଦେଇଥିଲେ । ସେମାନେ ଯେଉଁଭଳି ସ୍ତରର ଲୋକେ ତାଙ୍କ ଉପରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ତେବେ ସେ ସମ୍ମାନର ସହିତ ଏକ ରାଷ୍ଟ୍ରୀୟ ଦଳକୁ ଯିବେ ବୋଲି ଦେବାଶିଷ କହିଛନ୍ତି । ସେହି ଦଳରେ ଅନେକ କାମ କରିବାକୁ ଅଛି । ଲୋକଙ୍କ ସ୍ୱାର୍ଥ ପାଇଁ ସେ କାମ କରିବେ । ତେବେ ଆଜି ସେ କୌଣସି ଯିବେ ନାହିଁ । କିନ୍ତୁ ନିକଟ ଭବିଷ୍ୟତରେ ଖୁବଶୀଘ୍ର ଜାତୀୟ ଦଳରେ ମିଶିବେ ବୋଲି କହିଛନ୍ତି ଦେବାଶିଷ ।