କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ର ପାତୁଳି ଗାଁରୁ ଆସିଛି ଏମିତି ଏକ ହୃଦୟବିଦାରକ ଘଟଣା, ଯାହା ଶୁଣିଲେ ଯେକୌଣସି ଲୋକଙ୍କ ହୃଦୟ କମ୍ପି ଉଠିବ। ମଦ ନିଶାରେ ଅନ୍ଧ ହୋଇ ଜଣେ ପୁଅ ନିଜ ଜନ୍ମଦାତ୍ରୀ ମା’ଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।ମୃତକ ହେଲେ ୭୫ ବର୍ଷୀୟା ହାରାମଣି ସାହୁ। ଅଭିଯୁକ୍ତ ପୁଅ ବିଜୟ ସାହୁଙ୍କୁ ପୁଲିସ ଗିରଫ କରିଛି। ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ପଛରେ ରହିଛି ଦୀର୍ଘଦିନର ନିଶାସକ୍ତି ଓ ପାରିବାରିକ ଅଶାନ୍ତିର କାହାଣୀ।
ସୂଚନା ଅନୁଯାୟୀ, ଅବସରପ୍ରାପ୍ତ ସିଆରପିଏଫ୍ ଯବାନ ନବଘନ ସାହୁଙ୍କ ମଝିଆ ପୁଅ ବିଜୟ ଦୀର୍ଘଦିନ ଧରି ମଦ ନିଶାରେ ବୁଡ଼ି ରହୁଥିଲା। ବାପାଙ୍କ ପେନସନ୍ ଟଙ୍କା ହେଉ କି ଘରର ସଞ୍ଚୟ, ସବୁକିଛି ଉପରେ ତା’ର ନଜର ଥିଲା। ପ୍ରତିଦିନ ମଦ ପିଇ ଘରେ ଗଣ୍ଡଗୋଳ କରିବା ସହ ବାପା-ମା’ଙ୍କୁ ଗାଳିଗୁଲଜ ଓ ଧମକ ଦେଉଥିବା ଅଭିଯୋଗ ରହିଛି।
ଘଟଣାଦିନ ରାତିରେ ବିଜୟ ମଦ୍ୟପ ଅବସ୍ଥାରେ ଘରକୁ ଫେରି ପୁଣି ଟଙ୍କା ମାଗିଥିଲା। ନବଘନ ଓ ହାରାମଣି ଟଙ୍କା ଦେବାକୁ ମନା କରିବା ସହ ତାଙ୍କ ନିଶା ଅଭ୍ୟାସକୁ ନେଇ ତାଗିଦ କରିଥିଲେ। ଏଥିରେ ବିଜୟ ଉତ୍ତ୍ୟକ୍ତ ହୋଇଯାଇଥିଲା। ପ୍ରଥମେ ବାପାଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ବେଳେ ମା’ ହାରାମଣି ମଝିରେ ପଶି ପୁଅକୁ ଅଟକାଇବାକୁ ଚେଷ୍ଟା କରିଥିଲେ।
କିନ୍ତୁ ସେହି ଚେଷ୍ଟା ତାଙ୍କ ଜୀବନର ଶେଷ ଚେଷ୍ଟା ପାଲଟିଗଲା। ରାଗରେ ଅନ୍ଧ ହୋଇ ବିଜୟ ଘରେ ଥିବା ଏକ କାଠ ଫାଳିଆ ଠେଙ୍ଗାରେ ହାରାମଣିଙ୍କ ମୁଣ୍ଡକୁ ଜୋରଦାର ଆଘାତ କରିଥିଲା। ରକ୍ତାକ୍ତ ଅବସ୍ଥାରେ ସେ ତଳେ ପଡ଼ିଯାଇଥିଲେ। ଚିତ୍କାର ଶୁଣି ଗାଁଲୋକ ଦୌଡ଼ି ଆସି ତାଙ୍କୁ ରାଜକନିକା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ଫେରାର ଉଦ୍ୟମ କରୁଥିବା ବିଜୟକୁ ଗାଁଲୋକ କାବୁ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରି ହତ୍ୟା ମାମଲା ରୁଜୁ କରିଛି। ମଦ ନିଶା କିପରି ଜଣେ ପୁଅକୁ ନିଜ ମା’ର ହତ୍ୟାକାରୀରେ ପରିଣତ କରିଦେଲା, ତାହାର ଏହା ଏକ ଭୟଙ୍କର ଉଦାହରଣ।