ଭୁବନେଶ୍ୱର: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ଏଯାବତ୍ ଥମିନଥିବା ବେଳେ ରାଜ୍ୟ ସରକାରଙ୍କ ଏକ ନୂଆ ନିଷ୍ପତ୍ତି ପୁଣିଥରେ ଏହି ପ୍ରସଙ୍ଗକୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆଣିଛି। ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ତାଙ୍କ ବର୍ତ୍ତମାନ ପଦବୀରୁ ବଦଳି କରାଯାଇ ଗୃହ ବିଭାଗରେ OSD (Officer on Special Duty) ଭାବେ ନିଯୁକ୍ତ କରାଯାଇଛି। ଏହି ବଦଳି ପରେ ପ୍ରଶାସନିକ ମହଳରୁ ଆରମ୍ଭ କରି ରାଜନୈତିକ କରିଡର ପର୍ଯ୍ୟନ୍ତ ନାନା ପ୍ରକାର ଆଲୋଚନା ଜୋର ଧରିଛି।
ବିଶେଷ କରି ବାଲିଅନ୍ତାରେ ଘଟିଥିବା ସୌମ୍ୟଙ୍କ ମୃତ୍ୟୁ ଘଟଣା ପରେ ଦୟାଲ ଗଙ୍ଗୱାରଙ୍କ ନାମକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ସେହି ପ୍ରସଙ୍ଗରେ ଏହି ବଦଳିକୁ ଅନେକେ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖୁଛନ୍ତି। ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଏକ ସାମ୍ବାଦିକ ସମ୍ମିଳନୀରେ ଦୟାଲ ଗଙ୍ଗୱାରଙ୍କ ନାମ ଉଲ୍ଲେଖ କରି ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କ କହିବା ଅନୁସାରେ, ସୌମ୍ୟ ଦୀର୍ଘଦିନ ଧରି ମାନସିକ ଚାପରେ ରହୁଥିଲେ ଏବଂ ସେହି ଚାପ ପଛରେ ଗଙ୍ଗୱାରଙ୍କ ଭୂମିକା ଥାଇପାରେ ବୋଲି ସେ ସନ୍ଦେହ କରିଥିଲେ।
ତେବେ ଏହି ଅଭିଯୋଗକୁ ନେଇ ଏପର୍ଯ୍ୟନ୍ତ କୌଣସି ସରକାରୀ ତଦନ୍ତ ରିପୋର୍ଟ କିମ୍ବା ପ୍ରମାଣ ସାମ୍ନାକୁ ଆସିନାହିଁ। ଏହି କାରଣରୁ ଘଟଣାକୁ ନେଇ ଅନେକ ପ୍ରଶ୍ନ ଏବେ ମଧ୍ୟ ଉତ୍ତର ଅପେକ୍ଷାରେ ରହିଛି। ଅନ୍ୟପଟେ, ସୌମ୍ୟ ମୃତ୍ୟୁ ମାମଲାର ତଦନ୍ତ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାତରେ ରହିଛି। ଭିଡ଼ ହିଂସା ପଛର ପ୍ରକୃତ କାରଣ, ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ଭୂମିକା ଏବଂ ମୃତ୍ୟୁର ସମସ୍ତ ପରିସ୍ଥିତିକୁ ନେଇ ଗଭୀର ଖୋଳତାଡ଼ ଚାଲିଛି। ଏହାରି ଭିତରେ ଏବେ ଦୟାଲ ଗଙ୍ଗୱାରଙ୍କ ବଦଳି କେବଳ ଏକ ସାଧାରଣ ପ୍ରଶାସନିକ ନିଷ୍ପତ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ସମସ୍ତଙ୍କ ନଜର ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଓ ଆଗାମୀ ଖୁଲାସା ଉପରେ ରହିଛି।